ଓଡ଼ିଶା ଲିଡ୍ସ(ବ୍ୟୁରୋ): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ବିଜେପିକୁ ବିପୁଳ ଜନଦେଶ ମିଳିଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଭବାନୀପୁର ଆସନରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପରାଜିତ ହୋଇଛନ୍ତି । ଏଠାରେ ସେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ନିକଟରୁ ପରାଜିତ ହୋଇଛନ୍ତି । ଭବାନୀପୁର ଆସନରୁ ମମତା ବାନାର୍ଜୀ ପୂର୍ବରୁ ୩ ଥର ବିଜୟୀ ହୋଇଥିଲେ। ହେଲେ ଚଳିତ ନିର୍ବାଚନରେ ତାଙ୍କୁ ପରାଜୟର ମୁହଁ ଦେଖିବାକୁ ମିଳିଛି ।
ଭବାନୀପୁରରେ ବିଜୟ ହାସଲ କଲା ପରେ ଶୁଭେନ୍ଦୁ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି, ମମତା ବାନାର୍ଜୀଙ୍କୁ ହରାଇବାର ଜରୁରୀ ଥିଲା। ୨୦୨୧ରେ ମୋଠାରୁ ନନ୍ଦିଗ୍ରାମରେ ହାରିଥିଲେ ମମତା ବାନାର୍ଜୀ, ଏବେ ପୁଣି ପରାଜିତ ହୋଇଛନ୍ତି । ମୁସଲମାନମାନେ ମମତା ବାନାର୍ଜୀଙ୍କୁ ଭୋଟ ଦେଇଛନ୍ତି। ହିନ୍ଦୁ, ଶିଖ, ଜୈନମାନେ ମୋତେ ଭୋଟ ଦେଇ ବିଜୟୀ କରିଛନ୍ତି। ଆଜିର ଗଣତି ପ୍ରକ୍ରିୟାର ୧୫ ରାଉଣ୍ଡ ପର୍ଯ୍ୟନ୍ତ ମମତା ବାନାର୍ଜୀ ଆଗୁଆ ଥିଲେ। ୧୬ତମ ରାଉଣ୍ଡରେ ମୁ ଅଗ୍ରଣୀ ରହିଲି। ଶେଷରେ ମୁଁ ଏହି ନିର୍ବାଚନରେ ବିଜୟୀ ହୋଇଛି। ସୂଚନାଯୋଗ୍ୟ, ଶୁଭେନ୍ଦୁ ଅଧିକାରୀ ୧୫,୧୧୪ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି।




















