ଓଡ଼ିଶା ଲିଡ୍ସ(ବ୍ୟୁରୋ): ଭଟଲିର ପୂର୍ବତନ ବିଧାୟକ, ଓଡ଼ିଶା ସରକାରଙ୍କ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ସୁଶାନ୍ତ ସିଂଙ୍କର ଦେହାନ୍ତ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୩ ବର୍ଷ ବୟସ ହୋଇଥିଲା । ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ସେ ଚିକିତ୍ସିତ ହେଉଥିଲେ । ଭଟଲି ନିର୍ବାଚନ ମଣ୍ଡଳୀରୁ ସେ ତିନିଥର ନିର୍ବାଚିତ ହେବା ସହିତ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଭାବେ ସଫଳତାର ସହିତ କାର୍ଯ୍ୟ କରିଥିଲେ । ନିଜର ସାଙ୍ଗଠନିକ ଦକ୍ଷତା ପାଇଁ ସେ ପଶ୍ଚିମ ଓଡ଼ିଶାରେ ଖୁବ ପରିଚିତ ଥିଲେ । ତାଙ୍କ ଦେହାନ୍ତ ଖବର ପାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିରୋଧି ଦଳ ନେତା ନବୀନ ପଟ୍ଟନାୟକ, ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ, ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ, ସାଂସଦ ସୁଲତା ଦେଓ, ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ, ଯାଜପୁର ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ର ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହିତ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।




















