ଓଡିଶା ଲିଡ୍ସ(ବ୍ୟୁରୋ): ଗତ ରାଜ୍ୟସଭା ନିର୍ବାଚନ ପରେ ରାଜ୍ୟ ରାଜନୀତି ଭିନ୍ନ ମୋଡ଼ ନେବାକୁ ଯାଉଛି । ଓଡ଼ିଶା ରାଜନୀତି ଇତିହାସରେ ପ୍ରଥମ ଥର ପାଇଁ ସର୍ବାଧିକ ବିଧାୟକ ଦଳୀୟ ନିଷ୍ପତ୍ତି ବିରୁଦ୍ଧରେ ଯାଇ କ୍ରସ ଭୋଟିଂ କରି ସ୍ୱାଧୀନ ପ୍ରାର୍ଥୀଙ୍କୁ ବିଜୟୀ କରିଛନ୍ତି । ଗତକାଲି ୧୧ ଜଣ ବିଧାୟକ କ୍ରସ ଭୋଟିଂ କରିଥିଲା ବେଳେ ବିଜେଡିରୁ ସର୍ବାଧିକ ୮ ଜଣ ଓ କଂଗ୍ରେସରୁ ୩ ଜଣ କ୍ରସ ଭୋଟିଂ କରିଛନ୍ତି । ବିଜେଡିର ୮ ବିଧାୟକଙ୍କ ମଧ୍ୟରୁ ଦୁଇଜଣ ପୂର୍ବରୁ ଦଳରୁ ନିଲମ୍ବିତ ହୋଇଥିଲେ । ହେଲେ ଅନ୍ୟ ୬ ଜଣ ଶେଷ ମୁହୂର୍ତ୍ତରେ ଦଳର ନେତା ଓ ଦଳର ନିଷ୍ପତ୍ତିକୁ ଅବଜ୍ଞା କରି ସ୍ୱାଧୀନ ମତ ପୋଷଣ କରି ସ୍ୱାଧୀନ ପ୍ରାର୍ଥୀ ଅନୁଭବୀ ତଥା ବରିଷ୍ଠ ନେତା ଦିଲ୍ଲୀପ ରାୟଙ୍କୁ ଭୋଟ ଦେଇ ନିର୍ବାଚିତ କରିବା କେବଳ ବିଜେଡିକୁ ନୁହେଁ ରାଜ୍ୟବାସୀଙ୍କୁ ମଧ୍ୟ ଚକିତ କରିଛି । ଦଳୀୟ ନିଷ୍ପତ୍ତିରୁ ବାହାରି ବିଜେଡି ବିଧାୟକ ସ୍ୱାଧୀନ ପ୍ରାର୍ଥୀଙ୍କୁ ଭୋଟ ଦେବା ଦଳ ଭିତରେ କମ୍ପନ ସୃଷ୍ଟି କରିଛି । ବିଜେଡି ଦଳରେ ନବୀନଙ୍କ ନେତୃତ୍ୱ ଆହ୍ବାନର ସମ୍ମୁଖୀନ ହେବା ଏହା ସ୍ପଷ୍ଟ କରୁଛି । ଏହି ଘଟଣା ଦଳର ଅନ୍ୟ ନେତୃମଣ୍ଡଳୀଙ୍କୁ ମଧ୍ୟ ଚିନ୍ତାରେ ପକାଇ ଦେଇଛି । ନିର୍ବାଚନ ଭୋଟ ଗଣତି ପରେ ନିର୍ବାଚିତ ଦିଲ୍ଲୀପ ରାୟଙ୍କ ମନ୍ତବ୍ୟ ମଧ୍ୟ ବେଶ ପ୍ରଣିଧାନ ଯୋଗ୍ୟ । ସେ କହିଛନ୍ତି ମୋତେ ଆହୁରି ଅଧିକ ଭୋଟ ମିଳିବାର ଥିଲା । ଯାହା ପ୍ରମାଣିତ କରୁଛି ଯେ ବିଜେଡିର ଆହୁରି କିଛି ବିଧାୟକ ତାଙ୍କ ସହିତ ଯୋଗାଯୋଗରେ ଥିଲେ । ଦିଲ୍ଲୀପଙ୍କ ବିଜୟ ନିଶ୍ଚିତ ଜାଣି ପାରିବା ପରେ ଶେଷ ମୁହୂର୍ତ୍ତରେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ ବୋଲି ଚର୍ଚ୍ଚା ହେଉଛି । ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ବକ୍ତବ୍ୟ କିନ୍ତୁ ନୂଆ ରାଜନୈତିକ ସମୀକରଣ ନେଇ ଆଭାଷ ଦେଇଛି । ଦେବୀ ନିଜ ପ୍ରତିକ୍ରିୟାରେ ବିଜେଡିର କଂଗ୍ରେସ ସହିତ ମିଶିବାକୁ ନେଇ ଆକ୍ଷେପ କରିବା ଓ ବିଜୁ ଲିଗାସୀ କଥା କହିଛନ୍ତି । ଯେବେ ଠାରୁ ଭି.କେ.ପାଣ୍ଡିଆନ ବିଜେଡିକୁ ପରିଚାଳିତ କରୁଛନ୍ତି ସେବେ ଠାରୁ ବିଜେଡିରେ ବିଜୁ ବାବୁଙ୍କ ଅସ୍ତିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଜ୍ୟର କୋଟି କୋଟି ଓଡ଼ିଆଙ୍କ ଭାବା ବେଗ ସହିତ ବିଜୁ ବାବୁ ଜଡିତ । ଦଳ ମତ ନିର୍ବିଶେଷରେ ବିଜୁ ବାବୁ ଆଜି ମଧ୍ୟ ସମସ୍ତଙ୍କ ଶ୍ରଦ୍ଧା ଓ ସମ୍ମାନର ଦିବଙ୍ଗତ ନେତା । ଯାହାଙ୍କ ନାମରେ ବିଜୁ ଜନତା ଦଳ ନାମିତ ହୋଇଛି ଓ ଯେଉଁ ଦଳ ୨୪ ବର୍ଷ ରାଜ୍ୟ ଶାସନ କରିଛି ସେଇ ଦଳର ଦଳୀୟ ବ୍ୟାନରରୁ ତାଙ୍କ ଫଟୋ ହଟାଇବା କେବଳ ଦଳୀୟ ନେତା ଓ କର୍ମୀ ନୁହନ୍ତି ତମାମ ରାଜ୍ୟବାସୀଙ୍କୁ କ୍ଷୁବ୍ଧ କରିଥିଲା । କେବଳ ସେତିକି ନୁହେଁ ବିଜୁ ପଟ୍ଟନାୟକଙ୍କ ଅନୁଗତ ମାନଙ୍କୁ ମଧ୍ୟ ଦଳ ଧିରେ ଧିରେ ଦୂରେଇ ଦେଇଥିଲା । ବିଭିନ୍ନ ମାମଲାରେ ମଧ୍ୟ ସେମାନଙ୍କୁ ଛନ୍ଦି ମଧ୍ୟ ଦିଆଯାଉଥିଲା । ହେଲେ କେହି ଏହାର ବିରୋଧ କିମ୍ବା ପ୍ରତିବାଦ କରିବାର ସାହାସ ଜୁଟାଇ ପାରୁ ନଥିଲେ । କାରଣ ସେତେବେଳେ ନବୀନଙ୍କ ନାମରେ, ଦଳ ନାମରେ ଓ ଚିହ୍ନରେ ଜିତିବାର ଗ୍ୟାରେଣ୍ଟି ରହିଥିଲା । ଆଉ ଏବେ ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି । ଅପରାଜେୟ ରହିଥିବା ନବୀନ ଗତ ୨୦୨୪ ନିର୍ବାଚନରେ କଣ୍ଟାବାଞ୍ଝିରୁ ପରାଜିତ ହୋଇଥିଲେ । ନୂଆପଡା ନିର୍ବାଚନରେ ନିଜେ ପ୍ରଚାର କରି ମଧ୍ୟ ବିଜେଡି ପ୍ରାର୍ଥୀ ପରାଜିତ ହେଲେ । କେବଳ ପରାଜିତ ହେଲେ ନାହିଁ ବରଂ ତୃତୀୟ ସ୍ଥାନରେ ରହିଲେ । ଆଉ ଏବେ ରାଜ୍ୟସଭା ନିର୍ବାଚନରେ ତାଙ୍କ ସମର୍ଥିତ ପ୍ରାର୍ଥୀ ମଧ୍ୟ ପରାଜିତ ହେଲେ । ନବୀନଙ୍କର ଆଉ ପୂର୍ବ ଚମକ ଯେ ନାହିଁ ଏ କଥା ଦଳୀୟ ନେତା ଠଉରାଇ ସାରିଲେଣି । ଫଳରେ ଏବେ ଦଳରୁ ମୁହଁ ମୋଡ଼ିବା ଆରମ୍ଭ କରିଛନ୍ତି । ହେଲେ ଦଳରୁ ମୁହଁ ମୋଡିଥିବା ନେତା ବିଜେଡି କଂଗ୍ରେସ ସହିତ ହାତ ମିଳାଇବାକୁ ବିରୋଧ କରୁଥିଲା ବେଳେ ବିଜୁ ଲିଗାସୀ କଥା ଉଠାଇଛନ୍ତି । ଏହା ଭିତରେ ବିଜୁ ପ୍ରେମୀ ଏକ ହେବାର ବାର୍ତ୍ତା ଟିଏ ଛଡା ଯାଇଛି ।
ବିଜୟ,ଦିଲ୍ଲୀପ ଓ ଅମର ହେବେ ନୂତନ ଦଳର ସୂତ୍ରଧର !
ବିଜୟ ମହାପାତ୍ରଙ୍କ ବିବୃତି ଅନୁଯାୟୀ ଆଗକୁ ରାଜ୍ୟରେ ନୂତନ ରାଜନୈତିକ ଦଳ ପ୍ରତିଷ୍ଠା ହେବା ନିଶ୍ଚିତ । ନୂତନ ଦଳ ଗଠନ ପଛରେ ବରିଷ୍ଠ ନେତା ବିଜୟ ମହାପାତ୍ର, ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ, ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀ, ପ୍ରଭାତ ତ୍ରିପାଠୀ, ପ୍ରଭାତ ବିଶ୍ୱାଳ ପ୍ରମୁଖଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବା ନେଇ ଆଲୋଚନା ହେଉଛି । ଏହି ନେତା ମାନେ ବିଗତ ଦିନରେ ବିଜୁ ବାବୁଙ୍କ ନେତୃତ୍ୱରେ କଂଗ୍ରେସ ସହିତ ଲଢେଇ କରି କଂଗ୍ରେସ ସରକାରର ପତନ ଘଟାଇ ଥିଲେ । ଏହି ନେତା ମାନେ ବିଜୁ ବାବୁଙ୍କ ଏକାନ୍ତ ବିଶ୍ୱସ୍ଥ ଓ ଅନୁଗତ ମଧ୍ୟ ରହିଥିଲେ । ବିଜେଡି ଗଠନରେ ଏମାନଙ୍କ ଭୂମିକା ରହିଥିଲା ବେଳେ ଏମାନଙ୍କୁ ବିଭିନ୍ନ ସମୟରେ ଦଳ ନିନ୍ଦିତ ଓ ଅପମାନିତ କରି ଦଳରୁ ବିଦା କରି ଦେଇଥିଲା । ଯଦି ନୂତନ ଦଳ ସ୍ଥାପନ ହୁଏ ତେବେ ଏହା ବିଜୁ ବାବୁଙ୍କ ନାମରେ ହିଁ ନାମିତ ହେବ ଏଥିରେ ସନ୍ଦେହ ନାହିଁ । କାରଣ ଦେବୀ ରଞ୍ଜନଙ୍କ “ବିଜୁ ଲିଗାସୀ” ଉକ୍ତି ଏହାର ଝଲକ ମାତ୍ର । ପାଣ୍ଡିଆନ ଓ ସଂତୃପ୍ତଙ୍କୁ ନେଇ ଦଳରେ କୁହୁଳୁଥିବା ଅସନ୍ତୋଷକୁ ପ୍ରଶମିତ କରିବା ସଭାପତି ନବୀନ ପଟ୍ଟନାୟକଙ୍କ ପାଇଁ ଆହ୍ୱାନ ସୃଷ୍ଟି କରି ସାରିଛି ।




















