୨ ଲକ୍ଷ ୩୨ ହଜାର ପ୍ରଭାବିତ, ୭ ହଜାରରୁ ଅଧିକ ଲୋକ ଉଦ୍ଧାର
ଓଡ଼ିଶା ଲିଡ୍ସ(ବ୍ୟୁରୋ): ଉତ୍ତର ଓଡ଼ିଶାରେ ବନ୍ୟାର ବିଭୀଷିକା ଦେଖିବାକୁ ମିଳିଛି । ବନ୍ୟାରେ ଏବେ ସୁଦ୍ଧା ୨ ଲକ୍ଷ ୩୨ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC)ଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ବନ୍ୟା ଯୋଗୁଁ ଉତ୍ତର ଓଡ଼ିଶାର ୪୪ଟି ବ୍ଲକ ଅଧୀନରେ ଥିବା ୨୩୩ଟି ଗ୍ରାମ ପଞ୍ଚାୟତ ପ୍ରଭାବିତ ହୋଇଛି । ପାଣି ଘେରରେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ଉଦ୍ୟମ ଚାଲିଛି । ବନ୍ୟା ପ୍ରଭାବିତଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୨୭ ହଜାର ୯୬୭ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ବୋଲି ଏସଆରସି ସୂଚନା ଦେଇଛନ୍ତି ।
ବନ୍ୟାରେ ଏପର୍ଯ୍ୟନ୍ତ ୪ ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି । ଅନ୍ୟପଟେ ଚାଷୀଙ୍କ ଉପରେ ମଧ୍ୟ ବନ୍ୟା ଦାଉ ସାଧୁଛି । ବନ୍ୟା ପାଣିରେ ପ୍ରାୟ ୭ ହଜାର ୯୦୦ ହେକ୍ଟର ଚାଷ ଜମି ନଷ୍ଟ ହୋଇଛି । ବନ୍ୟାରେ ଅନେକ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ୭୬୧ଟି କଚା ଘର ଭାଙ୍ଗିଥିବା ରିପୋର୍ଟ ମିଳିଛି । ଉଦ୍ଧାର କାର୍ଯ୍ୟ ସହ ରିଲିଫ୍ ଓ କ୍ଷୟକ୍ଷତି ଆକଳନ ପ୍ରକ୍ରିୟା ଜାରି ରହିଛି । ପ୍ରଭାବିତ ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇବାକୁ ପଦକ୍ଷେପ ନିଆଯାଉଛି ବୋଲି ଏସଆରସି ସୂଚନା ଦେଇଛନ୍ତି ।




















