ଓଡ଼ିଶା ଲିଡ୍ସ(ବ୍ୟୁରୋ): ରାଜ୍ୟସଭା ନିର୍ବାଚନରେ ବିଜୁ ଜନତା ଦଳର ୮ ବିଧାୟକ କ୍ରସ ଭୋଟିଂ କରି ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଭୋଟ ଦେଇଥିଲେ । ସେମାନଙ୍କ ମଧ୍ୟରୁ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ଙ୍କୁ ପୂର୍ବରୁ ବିଜେଡି ଦଳରୁ ନିଲମ୍ବିତ କରିଥିଲା । ଏହି ଆଠଟି ଭୋଟ ଫଳରେ କଂଗ୍ରେସ ସମର୍ଥନରେ ବିଜେଡି ଦେଇଥିବା ଦ୍ଵିତୀୟ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତା ପରାଜିତ ହୋଇଥିଲେ । ବିଜେଡି ଦଳରେ ଏହାକୁ ନେଇ କମ୍ପନ ସୃଷ୍ଟି ହୋଇଛି । ପୂର୍ବରୁ ବିନା କାରଣ ଦର୍ଶାଅ ନୋଟିସରେ ନେତାଙ୍କ ମୁଣ୍ଡ ଗଡାଉଥିବା ନବୀନ ଏବେ କିନ୍ତୁ କ୍ରସ ଭୋଟିଂ କରିଥିବା ବିଧାୟକ ମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା । ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏହି ନୋଟିସ ଜାରି କରିଥିଲେ । ହେଲେ ଏହାକୁ ସେଭଳି ଗୁରୁତ୍ୱ ନଦେଇ ବିଧାୟକ ମାନେ ଉତ୍ତର ଦେବା ଛଳରେ ଆଇନର ଧମକ ଦେଇଥିଲେ ।

ଉତ୍ତର ପାଇବା ପରେ ଆଜି ଦଳ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଜୟଦେବ ବିଧାୟକ ନବ କିଶୋର ମଲ୍ଲିକ, ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ବସ୍ତା ବିଧାୟିକା ସୁବସିନୀ ଜେନା, ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ଓ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ଦଳରୁ ନିଲମ୍ବିତ କରିଛି । ଆଜି ଏ ନେଇ ନବୀନ ନିବାଶରେ ଦଳର ପିଏସି ମିଟିଂ ବସିଥିଲା । ସେଠାରେ ଏମାନଙ୍କୁ ନିଲମ୍ବିତ କରିବାକୁ ନିଷ୍ପତ୍ତି ହୋଇଥିଲା ।




















