ଓଡ଼ିଶା ଲିଡ୍ସ(ବ୍ୟୁରୋ): ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଇପିଏଲ୍ର ସବୁଠାରୁ ଚର୍ଚ୍ଚିତ ଓ ଲୋକପ୍ରିୟ ଖେଳାଳି । ୪୫ ବର୍ଷରେ ପଦାର୍ପଣ କରି ବିଶ୍ୱର ଧନୀ କ୍ରିକେଟ ଲିଗ ଖେଳୁଥିବା ଧୋନୀଙ୍କର କ୍ରେଜ କାହିଁ ଉପରେ । ୨୦୦୮ରୁ ଏପର୍ଯ୍ୟନ୍ତ ଆଇପିଏଲର ସବୁ ଋତୁରେ ଖେଳିଛନ୍ତି ଧୋନୀ । ସେ ଏପର୍ଯ୍ୟନ୍ତ ୨୭୮ଟି ଆଇପିଏଲ୍ ମ୍ୟାଚ୍ ଖେଳିବା ସହ ମୋଟ ୫୪୩୯ ରନ୍ କରିଛନ୍ତି। ଆଉ ଏକ ସପ୍ତାହରୁ କମ ସମୟରେ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ପ୍ରତିଯୋଗିତା । ଏହି ପ୍ରତିଯୋଗିତାର ବରିଷ୍ଠ ଖେଳାଳିଙ୍କ ଉପରେ ସାରା କ୍ରିକେଟ ଦୁନିଆର ନଜର ଥିଲା ବେଳେ ପ୍ରତିଯୋଗିତାର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ମଧ୍ୟ ରହିଛି ସମସ୍ତଙ୍କ ନଜର ।
କ୍ରିକେଟ୍ର ବିସ୍ମୟ ବାଳକ କୁହାଯାଉଥିବା ବୈଭବ ଗତ ଋତୁରେ ନିଜର ଆଇପିଏଲ୍ କ୍ୟାରିୟର ଆରମ୍ଭ କରିଥିଲେ । ୧୯ ଏପ୍ରିଲ ୨୦୨୫ରେ ସେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିପକ୍ଷରେ ନିଜର ଆଇପିଏଲ୍ ଜୀବନ ଆରମ୍ଭ କରିବା ସମୟରେ ତାଙ୍କର ବୟସ ଥିଲା ମାତ୍ର ୧୪ ବର୍ଷ ୨୩ ଦିନ। ଏହା ସହିତ ସେ ପାଲଟିଯାଇଥିଲେ ଆଇପିଏଲ୍ର ସର୍ବକନିଷ୍ଠ ଖେଳାଳି। ପ୍ରତିଭାର ଭରପୁର ଏହି ଯୁବ ଖେଳାଳି ପ୍ରଥମ ବଲ୍ରେ ଛକା ମାରି ସେ ନିଜ ଆଗମନ ଓ ଆଭିମୁଖ୍ୟର ସୂଚନା ଦେଇଥିଲେ। ଏଥରର ଆଇପିଏଲ୍ ଆରମ୍ଭ ହେବାର ଦିନକ ପୂର୍ବରୁ ସେ ୧୫ ବର୍ଷରେ ପଦାର୍ପଣ କରିବେ। ଏହି ବର୍ଷକ ମଧ୍ୟରେ ସେ କ୍ରିକେଟ ଜଗତରେ ଜଣେ ତାରକା ଖେଳାକି ପାଲଟିଯାଇଛନ୍ତି। ୧୯ ବର୍ଷରୁ କମ୍ ବିଶ୍ବକପ୍ରେ ପ୍ରଭାବୀ ପ୍ରଦର୍ଶନ ପରେ ଏଥରର ଆଇପିଏଲ୍ରେ ସେ ନିଜର ସ୍ବତନ୍ତ୍ର ଛାପ ଛାଡ଼ିବେ ବୋଲି ପ୍ରଶଂସକ ଆଶା ବାନ୍ଧିଛନ୍ତି ।




















