ଅସ୍ୱାଭାବିକ କାର୍ଯ୍ୟକଳାପ ଦେଖିଲେ ତୁରନ୍ତ ପୋଲିସକୁ ସୂଚନା ଦିଅନ୍ତୁ-ଏସ୍ପି
ଓଡ଼ିଶା ଲିଡ୍ସ(ବ୍ରହ୍ମଗିରି): ବିଶ୍ୱ ପ୍ରସିଦ୍ଧ ପବିତ୍ର ରଥଯାତ୍ରା ୨୦୨୬କୁ ଆଉ ମାତ୍ର କିଛି ଦିନ ବାକି । ରଥଯାତ୍ରା ସମୟରେ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି । ଆଜି ସୁରକ୍ଷା ବ୍ୟବସ୍ଥାକୁ ନେଇ ମକ ଡ୍ରିଲ କରାଯାଇଛି । ରଥଯାତ୍ରା ସମୟରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଏହି ସମୟରେ ଭକ୍ତଙ୍କ ସୁରକ୍ଷା ଓ ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଆଜି ପୁରୀରେ ଏକ ବୃହତ୍ ମିଳିତ ସୁରକ୍ଷା ମକ୍ ଡ୍ରିଲ ଆୟୋଜିତ ହୋଇଥିଲା ।
ରଥଯାତ୍ରା ସମୟରେ ଭିଡ଼ ନିୟନ୍ତ୍ରଣ ଓ ଯେକୌଣସି ଅପ୍ରତ୍ୟାଶିତ ଘଟଣାକୁ ରୋକିବା ପାଇଁ ପୁରୀ ପୋଲିସ ପକ୍ଷରୁ ସହରର ହୋଟେଲ ତାଜ ଏବଂ ବାଗେଡ଼ିଆ ଧର୍ମଶାଳା ପରିସର ସହିତ ବଡ଼ ଦାଣ୍ଡରେ ଏହି ମକ ଡ୍ରିଲ୍ ଆୟୋଜନ କରାଯାଇଥିଲା। ଏହି ଅଭ୍ୟାସରେ ପୋଲିସର ଟାକ୍ଟିକାଲ୍ ୟୁନିଟ୍, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍ ସ୍କ୍ୱାଡ୍, ଅଗ୍ନିଶମ ବାହିନୀ, ଓଡ୍ରାଫ୍ ଏବଂ ସ୍ୱାସ୍ଥ୍ୟ ବିଭାଗ ସକ୍ରିୟ ଅଂଶଗ୍ରହଣ କରିଥିଲେ।
ଘଟଣାସ୍ଥଳରେ ସନ୍ଦେହଜନକ ବସ୍ତୁ ଚିହ୍ନଟଠାରୁ ଆରମ୍ଭ କରି ବୋମା ନିଷ୍କ୍ରିୟ, ଆହତଙ୍କୁ ଉଦ୍ଧାର ଓ ଚିକିତ୍ସା ପାଇଁ ସ୍ଥାନାନ୍ତର ପର୍ଯ୍ୟନ୍ତ ପ୍ରତ୍ୟେକ ଦିଗକୁ ଅତି ସୂକ୍ଷ୍ମ ଭାବେ ପରଖା ଯାଇଥିଲା। ଏହି ମକ ଡ୍ରିଲ୍ ମାଧ୍ୟମରେ ବିଭିନ୍ନ ବିଭାଗ ମଧ୍ୟରେ ଥିବା ସମନ୍ୱୟ ଏବଂ ତ୍ୱରିତ ପ୍ରତିକ୍ରିୟା କ୍ଷମତାକୁ ଆହୁରି ସୁଦୃଢ଼ କରାଯାଇଥିଲା । ପୁରୀ ଏସ୍ପି ପ୍ରତୀକ ସିଂ କହିଛନ୍ତି ଯେ, ଏହି ପ୍ରକ୍ରିୟା ଦ୍ୱାରା ସୁରକ୍ଷା କର୍ମୀଙ୍କ ଦକ୍ଷତା ବୃଦ୍ଧି ପାଇଛି। ଏଥିସହ ସେ କୌଣସି ଅସ୍ୱାଭାବିକ କାର୍ଯ୍ୟକଳାପ ଦେଖିଲେ ତୁରନ୍ତ ନିକଟସ୍ଥ ପୋଲିସ କିମ୍ବା ଜରୁରୀ ସେବା ନମ୍ବର ୧୧୨ କୁ ସୂଚନା ଦେବାକୁ ଜନସାଧାରଣଙ୍କୁ ଅପିଲ କରିଛନ୍ତି ।

ଆଧୁନିକ ପ୍ରଯୁକ୍ତି ଓ ସୁଦୃଢ଼ ସୁରକ୍ଷା ବ୍ୟବସ୍ଥା ସହ ରଥଯାତ୍ରା ୨୦୨୬କୁ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା ପାଇଁ ପୁରୀ ପୋଲିସ ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି ଏସ୍ପି ପ୍ରତୀକ ସିଂ ।




















