ଓଡ଼ିଶା ଲିଡ୍ସ(କୃଷ୍ଣପ୍ରସାଦ): ଯାତ୍ରୀ ମାନଙ୍କୁ ନବା ଆଣିବା କରିବାକୁ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଠାରୁ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଗଡ଼ ଯାଏଁ ଓଡିଶା ବନ୍ଦର ଅନ୍ତର୍ଦେଶୀୟ ଜଳପଥ ପାରିବହନ ବିଭାଗ ତରଫରୁ ପ୍ରତିଦିନ ଯାତ୍ରୀବାହି ଲଞ୍ଚ ଯାତାୟତ କରିଥାଏ। ଆଜି ସକାଳ ୭ଟା ସମୟରେ ବାଲୁଗାଁ ଠାରୁ ଯାତ୍ରୀ ନେଇ କୃଷ୍ଣପ୍ରସାଦ ଆସୁଥିବା ଏକ ଲଞ୍ଚ ଯାନ୍ତ୍ରିକ ତ୍ରୁଟି ଯୋଗୁ ମଝି ଚିଲିକାରେ ଅଟକି ଯାଇଥିଲା। ଏହି ସମୟରେ ଲଞ୍ଚରେ ୫୦ ରୁ ଉର୍ଦ୍ଧ୍ଵ ଯାତ୍ରୀ ଥିଲେ । ଲଞ୍ଚଟି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପ୍ରାୟ ଏକ ଘଣ୍ଟା ଧରି ଅଟକି ଥିବା ବେଳେ ଅତ୍ୟଧିକ ପବନରେ ଦୋହଲି ଥିଲା। ଫଳରେ ଯାତ୍ରୀମାନେ ଅସୁରକ୍ଷିତ ମନେ କରି ହୋ ହଲ୍ଲା କରିଥିଲେ। ଚିଲିକାରେ ଥିବା ଅନ୍ୟ ଡ଼ଙ୍ଗା ନାବିକ ମାନେ ତୁରନ୍ତ ୨ଟି ଡ଼ଙ୍ଗା ନେଇ ସାହସର ସହିତ ଲଞ୍ଚକୁ କୂଳକୁ ଆଣିଥିଲେ। ମଝି ଚିଲିକାରୁ ଯାତ୍ରୀମାନେ ଏକ ଘଣ୍ଟା ପରେ ସୁରକ୍ଷିତ ଉଦ୍ଧାର ହୋଇଥିବା ଜଣାପଡ଼ିଛି।




















