ଓଡ଼ିଶା ଲିଡ୍ସ(ଯାଜପୁର): ଦୁଇଦିନ ହେଲା ବ୍ରାହ୍ମଣୀ ନଦୀରେ ବନ୍ୟା ଜଳ ହ୍ରାସ ପାଉଥିଲା ବେଳେ ପୁଣି ଆଜି ସନ୍ଧ୍ୟା ସୁଦ୍ଧା ବନ୍ୟା ଜଳ ବୃଦ୍ଧି ପାଇବ ବୋଲି ଜଳ ସମ୍ପଦ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏବେ ବ୍ରାହ୍ମଣୀ ନଦୀରେ ରେଙ୍ଗାଲି ଡ୍ୟାମରୁ ଦୁଇଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ପୂର୍ବରୁ ଖୋଲା ଥିବା ତୃତୀୟ ଗେଟ ଗତକାଲି ରାତିରୁ ବନ୍ଦ କରାଯାଇ ସାରିଛି । ହେଲେ ତୃତୀୟ ଗେଟରୁ ନିଷ୍କାସିତ ବନ୍ୟା ଜଳ ଆଜି ଦିନ ୨ଟା ପରେ ବ୍ରାହ୍ମଣୀ ନଦୀରେ ବନ୍ୟା ଜଳ ବୃଦ୍ଧି କରିବ । ଫଳରେ ନଦୀରେ ଦେଢ଼ ରୁ ଦୁଇ ଫୁଟ ଉଚ୍ଚତାର ପାଣି ଆସିବାର ସମ୍ଭାବନା ରହିଛି । ଯେହେତୁ ବରୀ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ଦୁଇଟି ଘାଇ ସୃଷ୍ଟି ହୋଇଛି ତେଣୁ ପୁନର୍ବାର ବରୁଆଁ- ବରୀ-କଳାମାଟିଆ ରାସ୍ତାରେ ବନ୍ୟା ସ୍ରୋତ ପଡିବାର ଆଶଙ୍କା ରହିଛି ।




















