ଓଡ଼ିଶା ଲିଡ୍ସ(ବ୍ୟୁରୋ): ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ଚୟନକର୍ତ୍ତା ଭାବେ ଅଜିତ ଅଗରକରଙ୍କ ସ୍ଥାନ ଅଭିଜ୍ଞ ଭି ଭି ଏସ ଲକ୍ଷ୍ମଣ ନେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ମୁଖ୍ୟ ଚୟନକର୍ତ୍ତା ଭାବେ ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଆସନ୍ତା ମାସରେ ଶେଷ ହେଉଛି। ଏହାକୁ ଆଉ ବଢ଼ାଇବା ସପକ୍ଷରେ ବିସିସିଆଇ ନଥିବା ଜଣାଯାଇଛି । ଅଗରକରଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ଜୁନ୍ ମାସରେ ଶେଷ ହୋଇଥିଲା ବେଳେ ହେଲେ ବିସିସିଆଇ ତାଙ୍କ କାର୍ଯ୍ୟକାଳ ଆଉ ୩ ମାସ ବୃଦ୍ଧି କରିଥିଲା । ଏହି ପୂର୍ବତନ ମୁମ୍ବାଇ ଦ୍ରୁତବୋଲର ୨୦୨୭ ବିଶ୍ବକପ୍ ପର୍ଯ୍ୟନ୍ତ ଦାୟିତ୍ବରେ ରହିବା ନେଇ ଆଶା ରଖିଥିଲେ। ତେବେ ଗତ ମାସରେ ଇଂଲଣ୍ଡରେ ଆୟୋଜିତ ଦିନିକିଆ ଶୃଙ୍ଖଳା ବେଳେ ରୋହିତ ଶର୍ମାଙ୍କ ଅବସର ଗୁଜବ ଉଠିଥିଲା। ଏହା ପଛରେ ଅଗରକରଙ୍କ ହାତଥିବା ଚର୍ଚ୍ଚା ଜୋର ଧରିଥିଲା । ବିସିସିଆଇ ଅଧ୍ୟକ୍ଷ ଦେବଜିତ ସାଇକିଆ ଏଥିରେ ହସ୍ତକ୍ଷେପ କରି କହିଥିଲେ, ଯେ ପର୍ଯ୍ୟନ୍ତ ରୋହିତ ଦଳୀୟ ଯୋଜନାରେ ଥିବେ ସେ ପର୍ଯ୍ୟନ୍ତ ଖେଳିବେ। ଏହି ବିବାଦ ଅଗରକରଙ୍କୁ ବିଦା କରିବାର ବାଟ ଫିଟାଇଛି ବୋଲି ଆଲୋଚନା ହେଉଛି ।ଅଗରକରଙ୍କ ସ୍ଥାନରେ ବିସିସିଆଇ ଉତ୍କର୍ଷ କେନ୍ଦ୍ରର ମୁଖ୍ୟ ଲକ୍ଷ୍ମଣଙ୍କୁ ବିସିସିଆଇର ପଦାଧିକାରୀମାନେ ନିଯୁକ୍ତି କରିବାକୁ ଚାହୁଛନ୍ତି ବୋଲି ଆଲୋଚନା ହେଉଛି । ଦୁଇ ବରିଷ୍ଠ ଖେଳାଳି ରୋହିତ ଓ ବିରାଟ କୋହଲିଙ୍କୁ ନେଇ ଅଜିତ ଅଗରକର ବିବାଦ ଘେରରେ ରହିଥିଲା ବେଳେ ଉଭୟଙ୍କ ସହିତ ଲକ୍ଷ୍ମଣଙ୍କର ଭଲ ସମ୍ପର୍କ ରହିବାର ସମ୍ଭାବନା ରହିଛି। ମୁଖ୍ୟ ଚୟନକର୍ତ୍ତା ନିଯୁକ୍ତି ବିଷୟରେ ଆଗାମୀ ସେପ୍ଟେମ୍ବରରେ ହେବାକୁ ଥିବା ବିସିସିଆଇ ବାର୍ଷିକ ସାଧାରଣ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରେ।




















