ଓଡ଼ିଶା ଲିଡ୍ସ(ବ୍ୟୁରୋ): ରାଜଧାନୀ ଦିଲ୍ଲୀର ସୀମାନ୍ତ ଅଞ୍ଚଳରୁ ପାକିସ୍ତାନରେ ସକ୍ରିୟ ଥିବା ଲସ୍କର-ଇ-ତାଏବାର ଜଣେ ଆତଙ୍କବାଦୀକୁ ଧରିବାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ବାଂଲାଦେଶରେ ରହି ଭାରତରେ ଆକ୍ରମଣ ପାଇଁ ଯୋଜନା କରୁଥିବା ଏହି ଆତଙ୍କବାଦୀକୁ ଦିଲ୍ଲୀର ସମୀନ୍ତ ଅଞ୍ଚଳରୁ ଗିରଫ କରାଯାଇଥିବା ଆଜି ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଗିରଫ ଆତଙ୍କବାଦୀ ଜଣକ ହେଉଛି ଶବିର ଅହମଦ ଲୋନ ଓରଫ ରାଜା ଓରଫ କଶ୍ମିରୀ। ସେ ଜମ୍ମୁ-କଶ୍ମୀରର ଶ୍ରୀଗନର ଅନ୍ତର୍ଗତ କାନଗାନରର ମୂଳ ବାସିନ୍ଦା । କେନ୍ଦ୍ର ଏଜେନ୍ସି ସହ ସମନ୍ୱୟ ରକ୍ଷା କରି ଦିଲ୍ଲୀ ପୁଲିସ୍ର ସ୍ପେଶାଲ ସେଲ ଶବିରକୁ ଗିରଫ କରିବାରେ ସଫଳ ହୋଇଛି । ଭାରତ ବିରୋଧୀ ଆତଙ୍କୀ କାର୍ଯ୍ୟକଳାପରେ ସେ ଲିପ୍ତ ଥିବାରୁ ଦୀର୍ଘ ସମୟ ଧରି କେନ୍ଦ୍ରୀୟ ଏଜେନ୍ସିର ସ୍କାନରରେ ଶବିର ରହିଥିଲା।
ଅଧିକାରୀଙ୍କ ସୂଚନା ଅନୁଯାୟୀ ଶବିର ବାଂଲାଦେଶରେ ରହି ଲସ୍କରର ଭାରତ ବିରୋଧୀ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରୁଥିଲା। ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ନିର୍ଦ୍ଦେଶରେ ସେ ଏହି କାର୍ଯ୍ୟ କରୁଥିବା ପ୍ରକାଶ ।
ସେ ନିଜ ନେଟୱର୍କରେ ଭାରତରେ ବେଆଇ ଭାବେ ରହୁଥିବା ବାଂଲାଦେଶୀଙ୍କୁ ନିଯୁକ୍ତ କରୁଥିଲା। ପାକିସ୍ତାନକୁ ପରଦା ପଛରେ ରଖି ବାଂଲାଦେଶୀଙ୍କୁ ଭାରତ ବିରୋଧୀ କାର୍ଯ୍ୟରେ ବ୍ୟବହାର କରୁଥିବା ଜଣାପଡ଼ିଛି। ଏବେ ଶବିର ଗିରଫ ହେବା ସୁରକ୍ଷାକର୍ମୀଙ୍କ ପାଇଁ ବଡ଼ ସଫଳତା ହୋଇଛି ।
ସେ ଲସ୍କର-ଇ-ତାଏବାର ଜଣେ ତାମିଲପ୍ରାପ୍ତ ଆତଙ୍କବାଦୀ। ସେ ମୁଜାଫରବାଦରେ ଥିବା ଆତଙ୍କୀ ଆଡ୍ଡାରେ ଦୌରା-ଇ-ଆମ(ମୂଳ) ଓ ଦୌର-ଇ-ଖାସ(ଅତ୍ୟାଧୁନିକ) ତାଲିମ ନେଇଥିଲା। ପ୍ରାୟ ଦୁଇ ଦଶନ୍ଧି ଧରି ସେ ଲସ୍କରର ବରିଷ୍ଠ କମାଣ୍ଡରଙ୍କ ସହିତ ଯୋଡ଼ି ହୋଇ ରହିଥିଲା।
ଶବିରକୁ ପ୍ରଥମ ଥର ୨୦୦୭ରେ ସ୍ପେଶାଲ ସେଲ ଏକେ-୪୭ ରାଇଫଲ, ଗ୍ରେନେଡ ସମେତ ବିପୁଳ ପରିମାଣର ଗୁଳିଗୋଳା ସହ ଗିରଫ କରିଥିଲା। ସେହି ସମୟରେ ଜମାତ-ଉଦ-ଦାୱାର ମୁଖ୍ୟ ତଥା ୨୬/୧୧ ହମଲାର ମାଷ୍ଟର ମାଇଣ୍ଡ ହାଫିଜ ସୟିଦ ଓ ଲସ୍କର କମାଣ୍ଡର ଜାକି ଉର ରେହମାନ ଲଖଭୀ ସହ ତା’ର ଲିଙ୍କ ସାମ୍ନା ଆସିଥିଲା। ୨୦୧୮ରେ ସେ ତିହାର ଜେଲରେ ରହିଥିଲା ଓ ପରେ ବେଲ ପାଇଥିଲା।




















