ଓଡ଼ିଶା ଲିଡ୍ସ(ଯାଜପୁର): ରିଲିଫ ସାମଗ୍ରୀ ର ଭିଡ଼ିଓ ରକର୍ଡ଼ିଂ କରିବାରୁ ଦଶରଥପୁର ବ୍ଲକର ବରିଷ୍ଠ ସାମ୍ବାଦିକ କୌଶିକ ଦାସଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଏ ନେଇ ଶ୍ରୀ ଦାସ ଦଶରଥପୁର ଥାନରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୋଗ ଅନୁଯାୟୀ ଦଶରଥପୁର ବ୍ଲକକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ଏକ ଟ୍ରକ ଯୋଗେ ରିଲିଫ ସାମଗ୍ରୀ ଆସିଥିଲା । ମାତ୍ର ଉକ୍ତ ରିଲିଫ ବ୍ଲକ ପରିସର କିମ୍ବା କୌଣସି ସରକାରୀ କାର୍ଯ୍ୟାଳୟରେ ରଖା ଯାଉନଥିବା ଅଭିଯୋଗ ହୋଇଥିଲା। ରିଲିଫ ସାମଗ୍ରୀ ନିକଟରେ କୌଣସି ଅଧିକାରୀ ଉପସ୍ଥିତ ନଥିବା ବେଳେ ସାମ୍ବାଦିକ ଶ୍ରୀ ଦାସ ବିଡ଼ିଓ ଆକାଶ ପଟ୍ଟନାୟକନଙ୍କୁ ଯୋଗାଯୋଗ କରିବାରୁ ସେ ଏ ବିଷୟ ଜାଣିନଥିବା କହିଥିଲେ। ଏଥିରେ ସନ୍ଧେହ ହେବାରୁ ଦଶରଥପୁର ପଞ୍ଚାୟତ କାର୍ୟ୍ୟାଳୟ ସମ୍ମୁଖରେ ଏକ କଦଳୀ ଗୋଦାମ ଘରେ ରିଲିଫ ସାମଗ୍ରୀ ରଖାଯାଉଥିବା ଖବର ପାଇ ସେଠାରେ ପହଞ୍ଚି ଏ ବିଷୟରେ ପଚାରିଥିଲେ । ଏହା ପରେ ନିଜ ମୋବାଇଲରେ ଏହାର ଭିଡିଓ ରେକଡ଼ିଂ କରିବା ସମୟରେ ସ୍ଥାନୀୟ ଦଶରଥପୁର ପୂର୍ବତନ ସରପଞ୍ଚ ଇନ୍ଦ୍ରଜିତ ଦାସ ଏବଂ ବିରଜା ପ୍ରସାଦ ଦାସ ତାଙ୍କ ମୋବାଇଲ ଛଡାଇ ନେଇ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ମାଡ଼ ମାରିଥିଲେ ବୋଲି ଶ୍ରୀ ଦାସ ଅଭିଯୋଗରେ ଦର୍ଶାଇଛନ୍ତି । ଏହା ସହିତ ତାଙ୍କ ବେକରେ ଏକ ଧରୁଆ ଅସ୍ତ୍ର ଲଗାଇ ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେବା ସହିତ ଘରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେବାକୁ ଚେତାବନୀ ମଧ୍ୟ ଦେଇଥିଲେ । ଅଭିଯୋଗ ପାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା ବେଳେ ଏହାକୁ ନେଇ ସାମ୍ବାଦିକ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି ।




















