ଓଡ଼ିଶା ଲିଡ୍ସ(ବ୍ରହ୍ମଗିରି): ପୁରୀ ଜିଲ୍ଲା କଣାସ ଥାନା ଅନ୍ତର୍ଗତ ମନ୍ଦାରବସ୍ତ ଗ୍ରାମରେ ଘଟିଥିବା ହତ୍ୟାକାଣ୍ଡର ପରଦାଫାସ କରିଛି ପୋଲିସ । ହତ୍ୟାକାଣ୍ଡ ରେ ସମ୍ପୃକ୍ତ ତିନିଜଣଙ୍କୁ ପୋଲିସ ଗିରଫ କରିଥିଲା ବେଳେ ସେମାନଙ୍କ ନିକଟରୁ ମାରଣାସ୍ତ୍ର ଓ ବାଇକ ଜବତ କରିଛି ।
ସୂଚନା ଅନୁଯାୟୀ ମୃତକ ପର୍ଶୁରାମ ପ୍ରଧାନ ନିଜ ଘରେ ଏକ ମନ୍ଦିର କରି ଲୋକଙ୍କ ବିଭିନ୍ନ ସମସ୍ୟା ସମାଧାନ କରିବା ନାଁରେ ଟଙ୍କା ରୋଜଗାର କରୁଥିଲେ। ଅଭିଯୁକ୍ତ ରାଜ କିଶୋର ସାହୁ ଏବଂ ତାଙ୍କ ଭାଇଙ୍କ ସମସ୍ୟା ସମାଧାନ ପାଇଁ ସେ ପର୍ଶୁରାମଙ୍କୁ ପ୍ରାୟ ୧୯ ହଜାର ଟଙ୍କା ଦେଇଥିଲେ। ପରେ ପର୍ଶୁରାମ ଜମିରେ ସୁନା ମୂର୍ତ୍ତି ଓ ଅଳଙ୍କାର ପୋତା ହୋଇଥିବା କହି ଉଭୟଙ୍କ ଠାରୁ ୨ ଲକ୍ଷ ଟଙ୍କା ଠକି ନେଇଥିଲେ। ପରେ ପର୍ଶୁରାମ କଥା ସତ ନହେବାରୁ ଏବଂ ଟଙ୍କା ନ ଫେରାଇବାରୁ ଦୁଇ ଭାଇ ତାଙ୍କ ଉପରେ ଆକ୍ରୋଶ ରଖିଥିଲେ।
ଗତ ଅଗଷ୍ଟ ୧୧ ତାରିଖ ରାତିରେ ରାଜ କିଶୋର ସାହୁ ଏବଂ ସତ୍ୟବ୍ରତ ମଲିକ ପର୍ଶୁରାମଙ୍କ ଘରେ ପଶି ତାଙ୍କୁ ଛୁରୀରେ ଆକ୍ରମଣ କରିବା ସହ ହାତ, ଗୋଡ଼ ବାନ୍ଧି ତାଙ୍କ ଦେହରେ ନିଆଁ ଲଗାଇ ପୋଡ଼ି ମାରି ଦେଇଥିଲେ। ଉଭୟ ପ୍ରମାଣ ନଷ୍ଟ କରିବା ପାଇଁ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ କରିବାକୁ ମଧ୍ୟ ଉଦ୍ୟମ କରିଥିଲେ। ପୋଲିସ ଏହି ମାମଲାରେ ତଦନ୍ତ କରି ୩ ଜଣ ଅଭିଯୁକ୍ତ ରାଜ କିଶୋର ସାହୁ, ସୁରେଶ ସାହୁ ଓ ସତ୍ୟବ୍ରତ ମଲିକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।




















