ଓଡ଼ିଶା ଲିଡ୍ସ(ବ୍ୟୁରୋ): ଜଣେ ଶିକ୍ଷୟତ୍ରୀଙ୍କୁ ଅଶ୍ଳୀଳ ମେସେଜ ପଠାଇବା ସହିତ ଯୌନ ନିର୍ଯାତନା ଅଭିଯୋଗ ପରେ ପୋଲିସ ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁ, ବରଗଡ ବ୍ଲକ ଶିକ୍ଷାଧିକାରୀ ସୁରେନ୍ଦ୍ର ସାହୁ ଓ ସତଲମା ସ୍କୁଲର ପିଇଟି ସମୀର ପାଣିଗ୍ରାହୀଙ୍କୁ ଗିରଫ କରିଛି । ବରଗଡ଼ ପୌରାଂଚଳର ଏକ ସ୍କୁଲରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ଜଣେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ ହୋଇଥିଲା।
ଏନେଇ ବରଗଡ଼ ଟାଉନଥାନାରେ ଶିକ୍ଷୟତ୍ରୀ ଜଣକ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୋଲିସ ଗତକାଲି ରାତିରୁ ଶିକ୍ଷା ବିଭାଗର ଦୁଇ ଅଧିକାରୀଙ୍କ ସମେତ ସମ୍ପୃକ୍ତ ପିଇଟି ଶିକ୍ଷକଙ୍କୁ ଉଠାଇ ଆଣିଥିଲା । ପ୍ରଥମ ଥର ପାଇଁ ବରଗଡ଼ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ଏଭଳି ମାମଲାରେ ଗିରଫ ହେବା ଶିକ୍ଷା ବିଭାଗ ମୁହଁରେ କଳା ବୋଳି ଦେଇଛି । ସମ୍ପୃକ୍ତ ଶିକ୍ଷୟତ୍ରୀ ଜଣକ ପୂର୍ବରୁ ଜିଲ୍ଲାପାଳଙ୍କୁ ମଧ୍ୟ ଅଭିଯୋଗ କରିଥିବାବେଳେ ପ୍ରଶାସନିକ ସ୍ତରରେ ବି ଘଟଣାର ଯାଞ୍ଚ ହେଉଥିବା ସୂଚନା ମିଳିଛି । ଅନ୍ୟପଟେ ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ ତାହାର ତଦନ୍ତ ମଧ୍ୟ ଟାଉନ ପୋଲିସ କରୁଛି ।




















