ଓଡ଼ିଶା ଲିଡ୍ସ(ଯାଜପୁର): ବରୀ ବ୍ଲକ ସେରପୁର ପଞ୍ଚାୟତ କୃଷ୍ଣ ନଗର ସ୍ଥିତ ପୁରାତନ ଚିନିକଳ ପରିସରରେ ସରକାରୀ ଅର୍ଥରେ ନିର୍ମାଣ ହୋଇଥିବା ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରରେ ପାଣି ବୋତଲ ଗଦା ମଡା ହୋଇ ରହିଥିବା ଦେଖିବାକୁ ମିଳିଛି । ଫଳରେ ସରକାରୀ ଅର୍ଥ କିଭଳି ଅପବ୍ୟୟ ହେଉଛି ତାର ନିଛକ ନମୁନା ଏଠାରେ ଦେଖିବାକୁ ମିଳିଛି ।

୧୯୭୫ ମସିହାରେ ପ୍ରାୟ ଦୁଇ ଏକ ପରିମିତ ସ୍ଥାନରେ ଏହି ଚିନିକଳ ସ୍ଥାପନ ହୋଇଥିଲା । ଦୀର୍ଘ ବର୍ଷ ହେବ ଏହି ଚିନିକଳ ବନ୍ଦ ହୋଇ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି । ହେଲେ ଏହି ଜମି ଉପରେ କିଭଳି ଏଇ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ସ୍ଥାପନ ହେଲା, ଏଥିପାଇଁ କିଏ ଅନୁମତି ଦେଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ୨୦୨୨-୨୩ ଆର୍ଥିକ ବର୍ଷରେ ୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କୃଷ୍ଣ ନଗର ପ୍ରାଥମିକ ଚିକିତ୍ସାକେନ୍ଦ୍ର ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ସ୍ଥାପନ ହୋଇଥିଲା ବେଳେ ଏହାକୁ କିଏ ଜବର ଦଖଲ କରି ନିଜ ବ୍ୟବସାୟ ଗୋଦାମ ଗୃହ କରିଛି ଓ ଏଥିପାଇଁ କିଏ ଅନୁମତି ଦେଇଛି ତାର ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବି । ଅନ୍ୟପକ୍ଷରେ ଚିକିତ୍ସାଳୟର ବର୍ଜ୍ୟବସ୍ତୁ କୁଆଡେ ଯାଉଛି ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।




















