ଓଡ଼ିଶା ଲିଡ୍ସ(ଯାଜପୁର): ସୁକିନ୍ଦାରେ ନିର୍ବାଚନରେ ପରାଜୟ ପରେ ବିଜେଡି ଛାଡି ବିଜେପି ମୁହାଁ ହୋଇଥିଲେ ବିଜେଡି ନେତା ଓ କର୍ମୀ । ଏବେ ସୁକିନ୍ଦାରେ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି । ନେତା ଓ କର୍ମୀଙ୍କର ବିଜେପି ମୋହ ତୁଟିବା ଆରମ୍ଭ କରିଛି । ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ଓ ବିଜେଡି ଉପରେ ପୁଣି ଭରସା କରିବା ଆରମ୍ଭ କରିଛନ୍ତି ନେତା ଓ କର୍ମୀ । ଗୋଟିଏ ପଟେ ଇଂ ଘଡାଇଙ୍କ ଲୋକପ୍ରିୟତା ଓ ଅନ୍ୟପଟେ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ପରିବାର ରାଜନୀତି ଓ ସୁକିନ୍ଦା ବିକାଶ ପ୍ରତି ବିମୁଖତା କର୍ମୀଙ୍କୁ ନିରାଶ କରିଛି ।
ଆଜି ଦାନଗଦୀ ବ୍ଲକ୍ ଯଖପୁରା ଗ୍ରାମର ବିଜୁ ଜନତା ଦଳର ପୂର୍ବତନ କାର୍ଯ୍ୟକାରୀ ସଭାପତି ରାଧାଶ୍ୟାମ ବିଶ୍ୱାଳ ବିଜେପି ଛାଡି ବିଜେଡିକୁ ଫେରି ଆସିଛନ୍ତି ।ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ ସେ ପୁନର୍ବାର ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଏହି ଅବସରରେ ପୂର୍ବତନ ମନ୍ତ୍ରୀ ଇଂ ଘଡ଼ାଇ ତାଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ । ଏହି ଅବସରରେ ରାଧାଶ୍ୟାମ କହିଛନ୍ତି ଆଗାମି ଦିନରେ ଇଂ ଘଡାଇଙ୍କ ସହିତ ରହି ଦଳ ପାଇଁ ନିଷ୍ଠାର ସହିତ କାମ କରିବି ।




















