ଓଡ଼ିଶା ଲିଡ୍ସ(ବ୍ୟୁରୋ): ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହୋଇଛି । ଭାରତର ବିଭିନ୍ନ ସାମଗ୍ରୀର ମୂଲ୍ୟ ଉପରେ ସିଧାସଳଖ ଯୁଦ୍ଧର ପ୍ରଭାବ ପଡିଛି । ଏଲପିଜି ଦର ବୃଦ୍ଧି ପରେ ଖାଇବା ତେଲ ରିଫାଇନ୍ ଓ ପାମୋଲିନ୍ ଦର ବୃଦ୍ଧି ହୋଇଛି । ଖାଇବା ତେଲ ଲିଟର ପିଛା ୫ରୁ ୧୦ ଟଙ୍କା ବୃଦ୍ଧି ହୋଇଛି । ଗତ ସପ୍ତାହରେ ରିଫାଇନ୍ ତେଲ ଲିଟର ୧୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ତାହା ୧୭୦ ଟଙ୍କାରେ ପହଞ୍ଚିଛି । ଯୁଦ୍ଧର ପ୍ରଭାବ ରୋଷେଇ ଘରେ ପଡ଼ିବା ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି । ଆମଦାନୀ ସ୍ୱାଭାବିକ ନହେଲେ ଆଗକୁ ତେଲ ଦର ଆହୁରି ବଢ଼ିବା ଆଶଙ୍କା କରାଯାଉଛି ।
ହୋଲସେଲ୍ରେ ରିଫାଇନ୍ ତେଲ ୩ରୁ ୪ଟଙ୍କା ବଢ଼ିଥିବା ବେଳେ ପାମୋଲିନ୍ ତେଲ ୨ରୁ ୩ଟଙ୍କା ବୃଦ୍ଧି ହୋଇଛି । ଖୁଚୁରାରେ ରିଫାଇନ୍ ଲିଟର ପିଛା ୮ରୁ ୧୦ ଟଙ୍କା ବଢ଼ିଥିବା ବେଳେ ପାମୋଲିନ୍ ୫ରୁ ୬ ଟଙ୍କା ବଢ଼ିଛି । ରିଫାଇନ୍ ତେଲ ମାଲେସିଆ, ସିଙ୍ଗାପୁର ଆଦିରୁ ଆସୁଥିବା ବେଳେ ପାମୋଲିନ୍ ତେଲ ଇଣ୍ଡୋନେସିଆରୁ ଆସିଥାଏ । ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଆମଦାନୀ ପ୍ରଭାବିତ ହୋଇଛି । ଓଡ଼ିଶା ବଜାରରେ ଦୈନିକ ୧୦୦୦ରୁ ୧୨୦୦ ଟନ୍ ରିଫାଇନ୍ ଓ ପାମୋଲିନ୍ ତେଲର ଆବଶ୍ୟକତା ରହିଛି । ଖାଇବା ତେଲର ଦର ବୃଦ୍ଧି ହେଉ ଥିବାରୁ କଳା ବଜାରୀର ଭୟ ଦେଖା ଦେଇଛି ।




















