ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆଜକୁ ୧୦ ବର୍ଷ ହେଲା ବିଧାନସଭାର ଶ୍ରେଷ୍ଠ ବିଧାୟକ ଚୟନ ହୋଇପାରି ନାହିଁ । ଫଳରେ ଦୀର୍ଘ ୧୦ ବର୍ଷ ହେଲା ରାଜ୍ୟବାସୀ ନିର୍ବାଚିତ କରିଥିବା ବିଧାୟକ, ବିଧାୟିକା ମାନଙ୍କ ମଧ୍ୟରୁ କିଏ ବିଧାନସଭାରେ ଶ୍ରେଷ୍ଠ ବିଧାୟକ ତାହା ଜାଣି ପାରୁ ନାହାନ୍ତି । ଫଳରେ ଜନ ପ୍ରତିନିଧିଙ୍କୁ ସ୍ୱୀକୃତି ଦେବାରେ ବିଧାନସଭା ସଫଳ ହୋଇନାହିଁ । ୨୦୧୬ ମସିହାରୁ ଶ୍ରେଷ୍ଠ ବିଧାୟକ ଚୟନ ପ୍ରକ୍ରିୟା ବନ୍ଦ ହୋଇ ପଡିଛି । ନୂତନ ସରକାର ୨୩ ମାସ ପରେ ଏଥିରେ ତତ୍ପରତା ଦେଖାଇ ଚୟନ କମିଟି ଗଠନ କରିଛନ୍ତି । ବିଧାନସଭାରେ ବିଧାୟକ ମାନଙ୍କ ପ୍ରଦର୍ଶନର ବିଭିନ୍ନ ମାପଦଣ୍ଡକୁ ବିଚାର କରି ଶ୍ରେଷ୍ଠ ବିଧାୟକଙ୍କୁ ପଣ୍ଡିତ ନୀଳକଣ୍ଠ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ ଓ ଉତ୍କଳ ଗୌରବ ମଧୁସୂଦନ ଦାସ ସମ୍ମାନ ପ୍ରଦାନ କରାଯାଏ । ବିଜେଡି ସରକାର ୨୦୧୬ ମସିହାରୁ ଚୟନ ପ୍ରକ୍ରିୟାକୁ ରୋକିଦେଇଥିଲେ । ସରକାର ବଦଳିବା ପରେ ବିଜେପି ସରକାର ୨୩ ମାସ ପରେ ଚୟନ କମିଟି ଗଠନ କରିଛନ୍ତି । ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ୬ ଜଣ ସଦସ୍ୟ ଅଛନ୍ତି । ସଦସ୍ୟ ଭାବେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ବିଧାୟକ ଜୟନାରାୟଣ ମିଶ୍ର, ଭାସ୍କର ମଢ଼େଇ, ପୂର୍ବତନ ବିଧାୟକ ଅମର ପ୍ରସାଦ ଶତପଥୀ, ଅରବିନ୍ଦ ଢାଲି, ବରିଷ୍ଠ ସାମ୍ୱାଦିକ ରାଜାରାମ ଶତପଥୀ ସାମିଲ ଅଛନ୍ତି । ଚୟନ କମିଟିର ପ୍ରଥମ ବୈଠକରେ ୨୦୧୭ରୁ ୨୦୨୫ ଯାଏଁ ଶ୍ରେଷ୍ଠ ବିଧାୟକଙ୍କୁ ବଛାଯିବାକୁ ନିଷ୍ପତି ହୋଇଛି । ଏଥିପାଇଁ ନିର୍ଦ୍ଧାରିତ ମାପଦଣ୍ଡ ମଧ୍ୟରେ ବିଧାନସଭାରେ ଉପସ୍ଥିତି, ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଲୋଚନାରେ ଅଂଶଗ୍ରହଣ, ହଟ୍ଟଗୋଳ ନକରି ଗୃହକାର୍ଯ୍ୟରେ ସହଯୋଗ କରିବା, ଶବ୍ଦ ଚୟନରେ ସଂଭ୍ରମତା ଆଦି ଆଧାରରେ ଚୟନ କରାଯିବ। ଏଥିପାଇଁ ବିଧାନସଭାର ଗବେଷଣା ବିଭାଗକୁ ଚୟନ କମିଟି ଦାୟିତ୍ୱ ପ୍ରଦାନ କରିଛି । ପରବର୍ତ୍ତୀ ବୈଠକରେ ନାମ ଉପରେ ବିଚାର ହୋଇପାରେ ବୋଲି ଜଣା ଯାଇଛି । ୨୦୦୯ରୁ ୨୦୧୬ ପର୍ଯ୍ୟନ୍ତ ୨୪ ଜଣ ଶ୍ରେଷ୍ଠ ବିଧାୟକଙ୍କୁ ବିଭିନ୍ନ ସମ୍ମାନରେ ସମ୍ମାନୀତ କରାଯାଇଥିଲା।




















