ଓଡ଼ିଶା ଲିଡ୍ସ(ବ୍ୟୁରୋ):ବିଗତ ଦିନରେ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ଉପନିର୍ବାଚନରେ ବିଜେପିର ପ୍ରଦର୍ଶନ ଆଶାନୁରୂପକ ହୋଇନଥିଲା। ଉପ ନିର୍ବାଚନରେ ନିଜ ଆସନକୁ ବି ହାତଛଡ଼ା କରିଛି ବିଜେପି। ଏବେ ରାଜ୍ୟ ଶାସନ କରୁଛି ବିଜେପି । ଶାସନ କ୍ଷମତାରେ ଥାଇ ପ୍ରଥମ ଥର ପାଇଁ ଦଳ ନୂଆପଡ଼ାରେ ଉପନିର୍ବାଚନକୁ ସମ୍ମୁଖିନ ହେବାକୁ ଯାଉଛି। ପ୍ରଥମ ଥର ବିଜେଡି ଵିରୋଧି ଦଳରେ ରହି ଉପ ନିର୍ବାଚନକୁ ସମ୍ମୁଖିନ ହେଉଛି । ଅପରପକ୍ଷେ ରାଜ୍ୟରେ ବିଧାୟକ ସଂଖ୍ୟା କମ ଥିଲେ ମଧ୍ୟ ରାଜ୍ୟରେ ମୁଖ୍ୟ ଵିରୋଧି ଦଳର ଭୂମିକା ନେଉଥିବା କଂଗ୍ରେସ ପାଇଁ ମଧ୍ୟ ଏହା ଆହ୍ୱାନ ସୃଷ୍ଟି କରିଛି । ପ୍ରଥମେ ଶାସକ ଦଳକୁ ନଜର ଦେଲେ ଯଦି ବିଜେପି ଏହି ଉପନିର୍ବାଚନ ଜିତେ ତେବେ ସରକାର ପ୍ରତି ଏକ ସକାରାତ୍ମକ ହାୱା ସୃଷ୍ଟି ହେବ। ଯଦି ଉପନିର୍ବାଚନ ହାରିଗଲା ତେବେ ସରକାର ଅପଦସ୍ଥ ହେବେ।
ଶାସନରେ ଥିଲା ବେଳେ ସବୁ ଉପନିର୍ବାଚନରେ ବିଜେଡି ସଫଳ ପ୍ରଦର୍ଶନ କରୁଥିଲା। ନିଜ ଆସନ ବଜାୟ ରଖୁଥିଲା ବେଳେ ବିଜେପି ହାତରୁ ତାର ଆସନ ବି ଛଡ଼ାଇ ଆଣିବାରେ ସକ୍ଷମ ହେଉଥିଲା । ବିଜେଡି ବିରୋଧୀ ଦଳକୁ ଆସିଲା ପରେ ନୂଆପଡ଼ା ଉପନିର୍ବାଚନ ଦଳ ପାଇଁ ଆହ୍ୱାନର ପାହାଡ଼ ଛିଡା କରିଛି । ସ୍ୱର୍ଗତ ଢୋଲକିଆ ବିଜେଡିର ବିଧାୟକ ଥିଲେ ମଧ୍ୟ ଏହି ଆସନକୁ ବଜାୟ ରଖିବା ଦଳ ପାଇଁ ସହଜ ହେବ ନାହିଁ ବୋଲି ଚର୍ଚ୍ଚା ହେଉଛି । ଯଦି ଉପ ନିର୍ବାଚନରେ ଦଳକୁ ସଫଳତା ମିଳିଲା, ତେବେ ନବୀନ ଓ ବିଜେଡି ପ୍ରତି ଏବେ ବି ଜନସମର୍ଥନ ରହିଛି ବୋଲି ରାଜ୍ୟବାସୀଙ୍କ ନିକଟକୁ ବାର୍ତ୍ତା ଯିବ। ଆଉ ଯଦି ଦଳ ପରାଜିତ ହୁଏ ତେବେ ବିଗିଡି ଯାଇଥିବା ଦଳୀୟ ଆଭ୍ୟନ୍ତରୀଣ କନ୍ଦଳ ଆହୁରି ଗମ୍ଭୀର ହୋଇ ପଡିବ ।
ରାଜ୍ୟରେ ବିଜେପି ଶାସନକୁ ଆସିଲା ପରେ କଂଗ୍ରେସ ହିଁ ଏବେ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଭୂମିକା ତୁଲାଉଛି ବୋଲି ରାଜ୍ୟବାସୀଙ୍କ ମଧ୍ୟରେ ଧାରଣା ସୃଷ୍ଟି ହୋଇଛି। ଗତ କିଛି ମାସ ହେଲା ବିରୋଧୀ ଦଳ ଭାବେ କଂଗ୍ରେସ ଉତ୍ସାହଜନକ ପ୍ରଦର୍ଶନ କରୁଛି ।ତେବେ ଭୋଟ ରାଜନୀତିରେ କଂଗ୍ରେସ କେତେ ଆଗକୁ ଯାଇଛି ତାହା ଏହି ଉପନିର୍ବାଚନ ପ୍ରମାଣିତ କରିବ ।
୨୦୨୪ ସାଧାରଣ ନିର୍ବାଚନ ପରେ ଓଡ଼ିଶା ପ୍ରଥମଥର ଉପନିର୍ବାଚନକୁ ସମ୍ମୁଖୀନ ହେବାକୁ ଯାଉଛି । ନୂଆପଡା ଉପନିର୍ବାଚନ ପାଇଁ ଯଦିଓ ନିର୍ବାଚନ କମିଶନ ପକ୍ଷରୁ ତାରିଖ ଘୋଷଣା ହୋଇ ନାହିଁ, ତେବେ ଏହାକୁ ନେଇ ରାଜନୈତିକ ଛକାପଞ୍ଝା ଆରମ୍ଭ ହୋଇ ଗଲାଣି । ବର୍ତ୍ତମାନର ରାଜନୈତିକ ପୃଷ୍ଠଭୂମିରେ ଏହି ଉପ ନିର୍ବାଚନ ରାଜ୍ୟ ରାଜନୀତିରେ ବଡ଼ ପ୍ରଭାବ ପକାଇବାର ସମ୍ଭାବନା ସୃଷ୍ଟି କରିଛି ।
ନୂଆପଡ଼ା ଉପନିର୍ବାଚନରେ ପ୍ରାର୍ଥୀ ଚୟନ ହିଁ ତିନି ଦଳ ପାଇଁ ଆହ୍ବାନ ସୃଷ୍ଟି କରିଛି। ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆ ଏଠାରୁ ଚାରି ଥର ଜିତି ବିଧାନସଭାକୁ ପ୍ରତିନିଧିତ୍ବ କରିଥିଲେ। ତାଙ୍କର ଭିନ୍ନ ଲୋକପ୍ରିୟତା ରହିଥିଲା । ବିଜେଡି ଏହି ଆସନକୁ ବଜାୟ ରଖିବାକୁ ସ୍ୱର୍ଗତ ଢୋଲକିଆଙ୍କ ପରିବାରରୁ ଜଣଙ୍କୁ ପ୍ରାର୍ଥୀ କରିବାକୁ ଯୋଜନା କରିଛି । ପତ୍ନୀ କଳ୍ପନା ଢୋଲକିଆ କିମ୍ବା ପୁଅ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିବାକୁ ଆପାତତଃ ନିଷ୍ପତ୍ତି ନେଇଛି ବିଜେଡି। ତେବେ ନିର୍ବାଚନରେ ଜୟ ହିଁ ପ୍ରାର୍ଥୀ ହେବାର ଅଧିକ ସମ୍ଭାବନା ରହିଛି। ହେଲେ ଭୋଟରଙ୍କ ଅଧିକ ଅନୁକମ୍ପା ପାଇବାକୁ ବିଜେଡି ସ୍ୱର୍ଗତ ଢୋଲକିଆଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରିବାକୁ ଉଦ୍ୟମ କରୁଛି । ଢୋଲକିଆଙ୍କ ପରିବାର ବାହାରୁ ପ୍ରାର୍ଥୀ ଦେବା ବିଜେଡି ପାଇଁ ବର୍ତ୍ତମାନ ପରିସ୍ଥିତିରେ ସମ୍ଭବ ନୁହେଁ ।
ପ୍ରାର୍ଥୀ ଚୟନ ନେଇ ବିଜେପି ଅଧିକ ଚିନ୍ତାରେ ପଡ଼ିଯାଇଛି। ୧୯୯୫ରୁ ୨୦୧୪ ପର୍ଯ୍ୟନ୍ତ ୫ଟି ନିର୍ବାଚନରେ ଏଠାରେ ବସନ୍ତ ପଣ୍ଡା ହିଁ ଦଳରୁ ପ୍ରାର୍ଥୀ ହେଉଥିଲେ। ୨୦୦୦ ଓ ୨୦୧୪ରେ ସେ ଏହି ଆସନରୁ ବିଜୟୀ ହୋଇଥିଲେ। ୨୦୧୯ରେ ଶ୍ରୀ ପଣ୍ଡା କଳାହାଣ୍ଡିରୁ ସାଂସଦ ପ୍ରାର୍ଥୀ ହେଲା ପରେ ଦଳ ଏଠାରେ ପ୍ରାର୍ଥୀ ବଦଳାଇଥିଲା। ଗତ ୨୦୨୪ ସାଧାରଣ ନିର୍ବାଚନରେ ଶ୍ରୀ ପଣ୍ଡା ତାଙ୍କ ପୁଅ ଅଭିନନ୍ଦନ ପଣ୍ଡାଙ୍କୁ ବିଜେପି ଟିକେଟ ଦେବାରେ ସଫଳ ହୋଇଥିଲେ। କିନ୍ତୁ ନିର୍ବାଚନରେ ସେ ତୃତୀୟ ସ୍ଥାନରେ ରହିଥିଲେ। ଉପ ନିର୍ବାଚନରେ ଅଭିନନ୍ଦନଙ୍କୁ ପୁନର୍ବାର ପ୍ରାର୍ଥୀ କରାଇବାକୁ ବସନ୍ତ ଚାହୁଁ ଥିଲା ବେଳେ ଦଳ କିନ୍ତୁ ରିସ୍କ ନେବାକୁ ଚାହୁଁ ନାହିଁ । ବିଜେପି ଏବେ କ୍ଷମତାରେ ଥିବାରୁ ଦଳରେ ଆଶାୟୀ ସଂଖ୍ୟା ବି ଆଶାତୀତ ଭାବେ ବଢ଼ିଯାଇଛି। ବିଜେପି କିନ୍ତୁ ସ୍ବର୍ଗତ ଢୋଲକିଆଙ୍କ ପରିବାର ସହ ଯୋଗାଯୋଗରେ ରହିଥିବା ଚର୍ଚ୍ଚା ଘୁରି ବୁଲୁଛି । ତାଙ୍କ ପୁଅ କିମ୍ବା ପତ୍ନୀଙ୍କୁ ବିଜେପିକୁ ଆଣି ଟିକେଟ୍ ଦେବା ପାଇଁ ଆଲୋଚନା ଜାରି ରଖିଛି ବିଜେପି । ଏ ଦିଗରେ କୌଣସି ସ୍ପଷ୍ଟ ସଙ୍କେତ ଆସି ନଥିଲେ ମଧ୍ୟ ଯଦି ଦଳ ଏହି ଯୋଜନାରେ ଦଳ ସଫଳ ହୁଏ ତେବେ ନୂଆପଡା ସିଟରେ ବିଜୟ ସୁନିଶ୍ଚିତ କରିବ ।
ଅପରପକ୍ଷେ କଂଗ୍ରେସରୁ ଘାସିରାମ ମାଝୀଙ୍କ ପ୍ରାର୍ଥିତ୍ବ ନେଇ ଆଲୋଚନା ଚାଲିଛି। ନୂଆପଡ଼ାରେ ଘାସିରାମ ଜଣେ ପରିଚିତ ଚେହେରା । ତାଙ୍କର ସ୍ୱତନ୍ତ୍ର ଭୋଟ ବ୍ୟାଙ୍କ ମଧ୍ୟ ରହିଛି । ଗତ ଥର କଂଗ୍ରେସ ତାଙ୍କୁ ପ୍ରାର୍ଥୀ ନକରି ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିଲା । ଶରତ ଗତ ନିର୍ବାଚନରେ ଅମାନତ ହରାଇଥିଲା ବେଳେ ଘାସିରାମ କିନ୍ତୁ ଦ୍ଵିତୀୟ ସ୍ଥାନରେ ରହିଥିଲେ । ଯଦିଓ ସେ ଜିତିପାରି ନଥିଲେ, ତେବେ ବିଜେପି ଓ ବିଜେଡି ପ୍ରାର୍ଥୀଙ୍କୁ କଡ଼ା ଟକ୍କର ଦେଇଥିଲେ। ପିସିସି ସଭାପତି ଭକ୍ତଚରଣ ଦାସ ମଧ୍ୟ ଘାସିରାମଙ୍କ ପ୍ରାର୍ଥିତ୍ବକୁ ସମର୍ଥନ କରି ତାଙ୍କୁ ନେଇ ଦଳ ଆଗକୁ ଚିନ୍ତା କରିଥିବା ସଂକେତ ଦେଇଛନ୍ତି । କିନ୍ତୁ ଦଳ ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହିଁ।
ସ୍ବର୍ଗତ ଢୋଲକିଆଙ୍କ ସ୍ମୃତି ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବା ବିଜେଡିର ରଣନୀତିକୁ ବିଗାଡି ଦେଇଛି । ନୂଆପଡ଼ା ଉପନିର୍ବାଚନକୁ ବିଜେପି ଗୁରୁତ୍ବର ସହ ଯେ ନେଉଛି ତାହା ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ହିଁ ସୂଚାଇ ଦେଇଥିଲା। ବିଜେପିର ଉପର ମହଲରେ ବି ଏ ଦିଗରେ ମଧ୍ୟ ଆଲୋଚନା ଜାରୀ ରହିଥିବା ସୂଚନା ମିଳିଛି । ଦଳର ପ୍ରାର୍ଥୀ ଚୟନ ଉପରେ ଉପ ନିର୍ବାଚନର ଭବିଷ୍ୟତ ନିର୍ଭର କରୁଛି । ହେଲେ ସମସ୍ତଙ୍କ ନଜର ରହିଛି ଢୋଲକିଆ ପରିବାର ଵିରୋଧି ବିଜେଡି ଟିକେଟରେ ନିର୍ବାଚନ ଲଢ଼ିବ ନା ଶାସକ ବିଜେପି ଦଳରେ ସାମିଲ ହୋଇ ବିଜେପିରୁ ଟିକେଟ ନେଇ ନିର୍ବାଚନ ଲଢ଼ିବ ।




















