ଓଡ଼ିଶା ଲିଡ୍ସ(ଯାଜପୁର): ଆଜି ବିଭିନ୍ନ ଶକ୍ତି ପୀଠରେ ମହା ଅଷ୍ଟମୀ ପାଳିତ ହେଉଛି । ରାଜ୍ୟ ତଥା ଦେଶର ଅନ୍ୟତମ ଶକ୍ତି ପୀଠ ଯାଜପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଆଜି ମହା ଅଷ୍ଟମୀ ପାଳିତ ହେଉଛି । ବଡ଼ି ସକାଳୁ ରୀତି ନୀତି ଅନୁଯାୟୀ ପୂଜା ପାଠ, ହୋମ, ଯଜ୍ଞ ସମାପନ ପରେ ମା ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ।
ଆଜିର ପବିତ୍ର ଦିନରେ ମାଙ୍କ ଦର୍ଶନ କରି ନିଜ ତଥା ନିଜ ପିଲା ପରିବାର ପାଇଁ ଆଶିଷ କାମନା କରିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ମନ୍ଦିରରେ ଭିଡ଼ ଜମାଇଛନ୍ତି ।

ମନ୍ଦିରରେ ବ୍ୟାପକ ସାଜସଜ୍ଜା ସହିତ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ହୋଇଛି । ମନ୍ଦିର ପରିସରରେ ବ୍ୟାପକ ପୋଲିସ ମୁତୟନ କରାଯାଇ ଶୃଙ୍ଖଳିତ ଦର୍ଶନ ସହିତ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଉଛି । ମାଙ୍କ ଦର୍ଶନ ପାଇଁ ବଡ଼ି ସକାଳୁ ଧାଡି ଲାଗିଥିଲା ବେଳେ ମଧ୍ୟାହ୍ନରେ ପ୍ରବଳ ବର୍ଷା ହୋଇ ମାଙ୍କ ଦର୍ଶନରେ ବ୍ୟାଘାତ ସୃଷ୍ଟି କରିଛି । ମନ୍ଦିର ପରିସରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି ।




















