ଓଡ଼ିଶା ଲିଡ୍ସ(ଯାଜପୁର): ଯାଜପୁର ସହରରେ ନିମ୍ନମାନର କାମ ଏବେ ସୀମା ଟପିଛି । ମରାମତି ନାମରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲା ବେଳେ ଅତି ନିମ୍ନମାନର କାମ ହେଉଛି । ହେଲେ ଏହାର ପ୍ରତିବାଦ କରିବାକୁ କିମ୍ବା ନିମ୍ନମାନର କାମର ତଦନ୍ତ କରି ସମ୍ପୃକ୍ତ ଠିକାଦାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେହି ନାହିଁ । ବିଭିନ୍ନ ସ୍ଥାନରେ ଏହି ନିମ୍ନ ମାନର କାମ ହେଉଥିଲା ବେଳେ ଖୋଦ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା ବି ନିମ୍ନ ମାନର କାମରୁ ବାଦ ପଡୁନାହିଁ । ନିକଟରେ ମାନସାପୋଲ ଠାରୁ କିଆନାଳି ପର୍ଯ୍ୟନ୍ତ ରାସ୍ତାକୁ ପିଚୁ କରାଯାଇଥିଲା । ହେଲେ କାମର ମାତ୍ର ଆଠ ଦିନ ମଧ୍ୟରେ ଏହି ପିଚୁ ଖୋଳି ହୋଇ ଯାଇଥିବା ଦେଖିବାକୁ ମିଳିଛି । ଏ ନେଇ ସମ୍ପୃକ୍ତ ଠିକାଦାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।
 
	




















 
								 
                 