ଓଡ଼ିଶା ଲିଡ୍ସ(ବ୍ୟୁରୋ): ଦୀର୍ଘ ବର୍ଷ ହେଲା ସ୍ଥାୟୀ ନିଯୁକ୍ତି ଆଶାରେ ଦୈନିକ ମଜୁରୀରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ମାନଙ୍କରେ ଦିନ ରାତି କାର୍ଯ୍ୟ କରୁଛନ୍ତି ଠିକା ଡ୍ରାଇଭର ମାନେ । ନିଷ୍ଠାର ସହିତ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଇ ଦରମା ପ୍ରଦାନ କରିବାର ବ୍ୟବସ୍ଥା କରାଯାଉନାହିଁ । ଏ ନେଇ ରାଜ୍ୟର ବିଭିନ୍ନ ଜିଲ୍ଲା କାର୍ଯ୍ୟାଳୟ ମାନଙ୍କରେ କାର୍ଯ୍ୟ କରୁଥିବା ଡ୍ରାଇଭର ମାନେ ସରକାରଙ୍କ ନିକଟରେ ଦାବି କରି ନିରାଶ ହେଲା ପରେ କୋର୍ଟର ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି । ହେଲେ କୋର୍ଟର ନିର୍ଦ୍ଦେଶ ପରେ ମଧ୍ୟ ସରକାର ସେମାନଙ୍କ ଦାବିକୁ ମାନବିକତାର ସହିତ ବିଚାର କରି ନାହାନ୍ତି ବୋଲି ଅଭିଯୋଗ ହୋଇଛି । ଫଳରେ ସେମାନେ ସ୍ୱଳ୍ପ ରୋଜଗାର କରି ନିଜ ପରିବାର ଚଳାଇବାରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗତ ସରକାର ସମୟରୁ ଏହି ଡ୍ରାଇଭର ମାନେ ସରକାରଙ୍କ ନିକଟରେ ନିଜର ନିଯୁକ୍ତିକୁ ସ୍ଥାୟୀ କରିବାର ଦାବି ବାରମ୍ବାର କରି ନିରାଶ ହୋଇଥିଲେ । ଗତ ସରକାର ବିକାଶକୁ ନେଇ ଡିଣ୍ଡିମ ପିଟୁ ଥିଲା ବେଳେ ଏହି ଗରିବ ଡ୍ରାଇଭର ମାନଙ୍କ ସମସ୍ୟା ପ୍ରତି ଆଖି ବୁଜି ଦେଇଥିଲେ । କିଛି ଜିଲ୍ଲାପାଳ ମଧ୍ୟ ବିଭିନ୍ନ ସମୟରେ ସେମାନଙ୍କ ନିଯୁକ୍ତିକୁ ସ୍ଥାୟୀ କରିବା ପାଇଁ ରାଜସ୍ୱ ବିଭାଗକୁ ଚିଠି ଲେଖିଥିଲେ । ହେଲେ ବିଭାଗୀୟ ଅଧିକାରୀ କିମ୍ବା ବିଭାଗୀୟ ମନ୍ତ୍ରୀ ଏହାକୁ ଗୁରୁତ୍ୱ ଦେଇନଥିଲେ । ଏହି ଡ୍ରାଇଭର ମାନଙ୍କ ମଧ୍ୟରୁ ବହୁ ଡ୍ରାଇଭରଙ୍କର ବୟସ ଅତିକ୍ରାନ୍ତ ହୋଇଥିବାରୁ ଅନ୍ୟ କେଉଁ ଠାରେ ଚାକିରୀ କରିବା ମଧ୍ୟ ଆଉ ସମ୍ଭବ ନୁହେଁ । ତେଣୁ ଭାଗ୍ୟକୁ ଆଦରି ନୂତନ ସରକାର ତାଙ୍କ ନିଯୁକ୍ତିକୁ ସ୍ଥାୟୀ କରି ତାଙ୍କୁ ସରକାରୀ ଦରମା ପ୍ରଦାନ କରିବେ ବୋଲି ଆଶା ବାନ୍ଧିଛନ୍ତି । କେତେ ଜଣ ଡ୍ରାଇଭର କୁହନ୍ତି ଏବେ ରାଜ୍ୟରେ ଲୋକ ସରକାର ଚାଲିଛି । ମୁଖ୍ୟମନ୍ତ୍ରୀଙ୍କୁ ଲୋକ ମୁଖ୍ୟମନ୍ତ୍ରୀ କୁହା ଯାଉଛି । ମୁଖ୍ୟମନ୍ତ୍ରୀ ବିଭିନ୍ନ ସମସ୍ୟାର ତ୍ୱରିତ ସମାଧାନ କରୁଛନ୍ତି । ତେଣୁ ଆମ ମାନଙ୍କ ସମସ୍ୟାର ବିଚାର କରି ଆମକୁ ନ୍ୟାୟ ପ୍ରଦାନ କରନ୍ତୁ ବୋଲି ନିବେଦନ କରିଛନ୍ତି ।




















