ଓଡ଼ିଶା ଲିଡ୍ସ(ଯାଜପୁର): ଆଜି ଦେଶର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଦର୍ଶନ ଜରିବା ସହିତ ପିତୃ ପୁରୁଷଙ୍କୁ ପିଣ୍ଡଦାନ କରି ଫେରି ଯାଇଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ମନ୍ଦିରରେ ବ୍ୟାପକ ସାଜସଜ୍ଜା କରାଯାଇଥିଲା । ବିଶେଷ କରି ମନ୍ଦିରକୁ ସମ୍ପୂର୍ଣ୍ଣ ଫୁଲରେ ସଜା ଯାଇଥିଲା । ଗତ ଦୁଇଦିନ ହେଲା ଏହି ସାଜସଜ୍ଜାର ଫଟୋ ବେଶ ଭାଇରାଲ ହୋଇଥିଲା ।
ଆଜି ରାଷ୍ଟ୍ରପତିଙ୍କ ଗସ୍ତ ପରେ ମନ୍ଦିରରେ ବେଶ ଭିଡ଼ ହୋଇଥିଲା । ବିଶେଷ କରି ସନ୍ଧ୍ୟାରେ ବିଶେଷ ଗହଳି ହୋଇଥିଲା । ଶ୍ରଦ୍ଧାଳୁ ମାନେ ମାଙ୍କୁ ଦର୍ଶନ କରିବାକୁ ଯେତିକି ଗୁରୁତ୍ୱ ଦେଇ ନଥିଲେ ତା ଠାରୁ ଅଧିକ ଗୁରୁତ୍ୱ ଫଟୋ ଉଠାଇବା ଉପରେ ଦେଇଥିଲେ । କେବଳ ସେତିକି ନୁହେଁ ସଜାଇବାରେ ବ୍ୟବହାର ହୋଇଥିବା ବିଭିନ୍ନ ଫୁଲକୁ ଛିଣ୍ଡାଇ ନେବାରେ ମଧ୍ୟ ସାମାନ୍ୟ ସଂକୋଚ କରିନଥିଲେ ଏହି ଶ୍ରଦ୍ଧାଳୁ ମାନେ । କେବଳ ସେତିକି ନୁହେଁ, ମନ୍ଦିର ପରିସରରେ ସଜା ଯାଇଥିବା ଫୁଲକୁ ମଧ୍ୟ ଦଳି ମକଚି ଦେଇଥିଲେ । ଏହା ବିଭିନ୍ନ ବ୍ୟକ୍ତିଙ୍କୁ ମର୍ମାହତ କରିଥିଲା ବେଳେ ପ୍ରତିବାଦ କଲେ ମଧ୍ୟ କେହି ଶୁଣିବା ଅବସ୍ଥାରେ ବି ନଥିଲେ । ଫଟୋ ଉଠାଇବା ଓ ଫେରିଲା ବେଳେ ହାତରେ ଫୁଲ ଧରି ଫେରିବାକୁ ସର୍ବାଧିକ ଗୁରୁତ୍ୱ ଦେଇଥିଲେ ଦର୍ଶକ । ଫୁଲ କୁଣ୍ଡରୁ ମଧ୍ୟ ଫୁଲ ତୋଳି ନେଉଥିଲା ବେଳେ କିଛି କୁଣ୍ଡକୁ ତଳେ ପକାଇ ଭାଙ୍ଗି ମଧ୍ୟ ଦେଇଥିଲେ ।




















