ଫାଇନାଲରେ ନ୍ୟୁଜିଲାଣ୍ଡ ୯୪ ରନରେ ପରାସ୍ତ
ତିନିଟି T-20 ବିଶ୍ୱକପ ଜିତିବାରେ ଭାରତ ପ୍ରଥମ
ଗାଁ ଠାରୁ ନେଇ ସହର ପର୍ଯ୍ୟନ୍ତ ଉତ୍ସବ ମୁଖର ଦେଶ
ସଞ୍ଜୁ, ଅଭିଷେକ, ଇଶାନ ଓ ଶୁଭମଙ୍କ ବିସ୍ପୋରକ ବ୍ୟାଟିଂ ଛିଡା କଲା ରନର ପାହାଡ଼
ବୁମରାଙ୍କ ଲକ୍ଷ୍ୟଭେଦି ବୋଲିଂ ଆଗରେ ନ୍ୟୁଜିଲାଣ୍ଡ ବ୍ୟାଟର ବାଟବଣା
ସାରା ଦେଶରୁ ପ୍ରଶଂସାର ସୁଅ
୧୪୦ କୋଟି ଭାରତୀୟଙ୍କୁ ନିରବ କରିବାକୁ କହି ସାଣ୍ଟନର ନିରବ
ଓଡ଼ିଶା ଲିଡ୍ସ(ବ୍ୟୁରୋ): ହିଷ୍ଟ୍ରି ରିପିଟ କରଙ୍ଗେ, ହିଷ୍ଟ୍ରି ଡିଫିଟ କରଙ୍ଗେ ସ୍ଲୋଗାନ ଦେଇ ଭାରତ ଚଳିତ T-20 ବିଶ୍ୱକପରେ ପଦାର୍ପଣ କରିଥିଲା । ଗତକାଲି ଭାରତ ସ୍ଲୋଗାନ ଅନୁଯାୟୀ ବିଶ୍ୱକପରେ ହିଷ୍ଟ୍ରି ରିପିଟ କରିଥିଲା ଆଉ ହିଷ୍ଟ୍ରି ଡିଫିଟ କରିଥିଲା । ଆୟୋଜକ ଦେଶ ପୂର୍ବରୁ ବିଶ୍ୱକପ ଚମ୍ପିୟାନ ହୋଇ ନଥିଲା ବେଳେ ଭାରତ ଚମ୍ପିୟାନ ହୋଇଥିଲା, ଲଗାତାର ଭାବେ ଦୁଇଥର କେହି ଚମ୍ପିୟାନ ହୋଇ ନଥିଲା ବେଳେ ୨୦୨୪ ବିଶ୍ୱକପ ବିଜୟ ପରେ ଭାରତ ଲଗାତାର ଦ୍ଵିତୀୟ ଥର ଚମ୍ପିୟାନ ହୋଇଥିଲା । ଭାରତ ଚମ୍ପିୟାନ ହେବା ଦେଶର ୧୪୦ ଲୋକଙ୍କୁ କେବଳ ଖୁସି ଦେଇ ନାହିଁ, ସେମାନଙ୍କୁ ଗର୍ବିତ କରିଛି । ଏହି ବିଜୟ ପରେ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଠାରୁ ନେଇ ସାରା ଦେଶବାସୀ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।

ଗତ ୨୦୨୩ ବିଶ୍ଵକପର ଫାଇନାଲ ମ୍ୟାଚ ଗୁଜୁରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଇଥିଲା ବେଳେ ଅପ୍ରତ୍ୟାଶିତ ଭାବେ ଭାରତ ଅଷ୍ଟ୍ରେଲିଆ ନିକଟରୁ ହାରି ଯାଇଥିଲା । ଗତ କାଲି ମ୍ୟାଚ ପୂର୍ବରୁ ଏହି ଭଳି ଆଶଙ୍କାରେ ପଡ଼ିଥିଲେ କୋଟି କୋଟି ଭାରତୀୟ ପ୍ରଶଂସକ । ହେଲେ ବିଧିର ବିଧାନ ଥିଲା ଭିନ୍ନ । ଟସ ଜିତି ନ୍ୟୁଜିଲାଣ୍ଡ ଅଧିନାୟକ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରି ଭାରତ ପାଇଁ ଅଧା କାମ ସାରି ଦେଇଥିଲେ । ଗୋଟିଏ ଦିନ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକ କହିଥିଲେ ଆମେ ଫାଇନାଲରେ ୧୪୦ କୋଟି ଭାରତୀୟଙ୍କୁ ଚୁପ କରିଦେବୁ । ହେଲେ ବିଫଳତା ପରେ ସଫଳତା ପାହାଚ ଚଢୁଥିବା ସଞ୍ଜୁ ନିଜ ସହିତ ଅଭିଷେକ ଶର୍ମାଙ୍କୁ ନେଇ ବ୍ୟାଟିଂ ପାଇଁ ଓହ୍ଲାଇଥିଲେ । ମାତ୍ର ୪ଟି ବଲ ପରେ ସଞ୍ଜୁ ନିଜ ଆଭିମୁଖ୍ୟ ସ୍ପଷ୍ଟ କରି ଛକା ମାରି ନିଜର ତଥା ଦେଶର ରନ ସଂଗ୍ରହ ଆରମ୍ଭ କରିଥିଲେ । ଅନ୍ୟ ପଟରେ ଚଳିତ ବିଶ୍ୱକପରେ ନିରାଶ କରିଥିବା ଅଭିଷେକ ସଞ୍ଜୁଙ୍କ ଦିଗଦର୍ଶନ ବଳରେ ଜୋରଦାର ଆକ୍ରମଣ ଆରମ୍ଭ କରିଥିଲେ । ଉଭୟ ପାୱାର ପ୍ଲେର ୬ ଓଭରରେ ରେକର୍ଡ ୯୨ ରନ ସଂଗ୍ରହ କରି ନ୍ୟୁଜିଲାଣ୍ଡ ଦଳକୁ ସମ୍ପୂର୍ଣ୍ଣ ନିରବ କରି ଦେଇଥିଲେ । ଉଭୟଙ୍କ ଆକ୍ରମଣ ଫଳରେ ନ୍ୟୁଜିଲାଣ୍ଡ ବୋଲର ନିଜର ଲୟ ଭୁଲି ଯାଇଥିଲେ । ଅଭିଷେକ ଅର୍ଦ୍ଧ ଶତକ ହାସଲ କରି ଆଉଟ ହେବା ପରେ ପଡ଼ିଆକୁ ଆସିଥିଲେ ଇନ ଫର୍ମ ଇଶାନ କିଷାନ । ଆସୁ ଆସୁ ସେ ମଧ୍ୟ ଆକ୍ରମଣ ଆରମ୍ଭ କରିଥିଲେ । ଗୋଟିଏ ପଟେ ସଞ୍ଜୁ ଓ ଅନ୍ୟପଟେ ଇଶାନ ରନର ବର୍ଷା କରିଥିଲେ । ଇଶାନ ଓ ସଞ୍ଜୁଙ୍କ ଉଇକେଟ ପତନ ପରେ ଅଧିନାୟକ ସୂର୍ଯ୍ୟ କୁମାର ବ୍ୟାଟିଂ ପାଇଁ ଆସି ଶୁନ୍ୟରେ ଆଉଟ ହୋଇଥିଲେ । ହେଲେ ତାଙ୍କ ପରେ ଆସିଥିବା ଶୁଭମ ଦୁବେ କିନ୍ତୁ ଭୟଙ୍କର ଆକ୍ରମଣ କରି ଭାରତର ଦଳୀୟ ରନକୁ ୨୫୫ ରେ ପହଞ୍ଚାଇ ଦେଇଥିଲେ ।
ଏହା ପରେ ପ୍ରଥମ ବିଶ୍ୱକପ ଜିତିବାର ସ୍ୱପ୍ନ ନେଇ ଭାରତର ବୃହତ ଲକ୍ଷକୁ ଭେଦ କରିବାକୁବ ପଡ଼ିଆକୁ ଓହ୍ଲାଇଥିଲା ନ୍ୟୁଜିଲାଣ୍ଡ । ଚାପରେ ପଡି ସାରିଥିବା ନ୍ୟୁଜିଲାଣ୍ଡ ଆରମ୍ଭରୁ ଝୁଣ୍ଟିଥିଲା । ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀଙ୍କ ସହିତ ବୁମରା ନ୍ୟୁଜିଲାଣ୍ଡ ବ୍ୟାଟିଂ ମେରୁଦଣ୍ଡକୁ ଭାଙ୍ଗି ଦେଇଥିଲେ । ସବୁ ଠାରୁ ଘାତକ ବୋଲିଂ କରି ବୁମରା ୪ ଉଇକେଟ ନେଇଥିଲେ । ନ୍ୟୁଜିଲାଣ୍ଡ ଦଳ ମାତ୍ର ୧୫୯ ରନ ସଂଗ୍ରହ କରି ବିଶାଳ ୯୬ ରନରେ ପରାଜିତ ହୋଇଥିଲା । ଭାରତର ବିଜୟ ରେ ଷ୍ଟାଡିୟମରେ ଉପସ୍ଥିତ ଏକ ଲକ୍ଷ ତିରିଶ ହଜାର ଲୋକଙ୍କ ସହିତ ପୁରାଦେଶ ଝୁମି ଉଠିଥିଲା । ସାରା ଦେଶରେ ଉତ୍ସବର ମାହୋଲ ସୃଷ୍ଟି ହୋଇଥିଲା ବେଳେ ଅଦିନ ଦୀପାବଳି ସହିତ ହୋଲି ଖେଳ ଆରମ୍ଭ ହୋଇ ଯାଇଥିଲା । ମ୍ୟାଚର ପ୍ରତିଟି ମୁହୂର୍ତ୍ତ କୋଟି କୋଟି ଭାରତୀୟଙ୍କୁ ବିମୋହିତ କରୁଥିଲା । ଆଇସିସି ସଭାପତି ଜୟ ଶାହ ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟ କୁମାର ଯାଦବଙ୍କୁ ବିଶ୍ୱକପ ଟ୍ରଫି ପ୍ରଦାନ କରିଥିଲେ । ଭାରତ ୨୦୦୭ ମସିହାରେ ଧୋନିଙ୍କ ନେତୃତ୍ୱରେ ଓ ୨୦୨୪ ମସିହାରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ବିଶ୍ଵକପ ଜିତିଥିଲା ବେଳେ ଚଳିତ ବର୍ଷ ସୂର୍ଯ୍ୟ କୁମାରଙ୍କ ନେତୃତ୍ୱରେ ବିଶ୍ୱକପ ଜିତି ପ୍ରଥମ ଦେଶ ଭାବେ ତିନିଥର ଓ ଲଗାତାର ଦୁଇଥର T-20 ବିଶ୍ୱକପ ଜିତି ରେକର୍ଡ କରିଛି । ବୁମରା ଫାଇନାଲର ଶ୍ରେଷ୍ଠ ଖେଳାଳି ହୋଇଥିଲା ବେଳେ ସଞ୍ଜୁ ସାମସନ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ହୋଇଛନ୍ତି ।




















