ଓଡ଼ିଶା ଲିଡ୍ସ(ବ୍ୟୁରୋ): ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କର ତାଙ୍କ ବିଭାଗର ସଚିବଙ୍କ ସହିତ ତାଳମେଳ ରହୁନାହିଁ । ମନ୍ତ୍ରୀ ଯେଉଁ ବିବୃତି ଦେଉଛନ୍ତି ବିବୃତି ଦେବାର କିଛି ସମୟ ପରେ ବିଭାଗୀୟ ସଚିବ ସେଇ ବିବୃତିକୁ କାଟି ଅନ୍ୟ ବିବୃତି ଦେଉଛନ୍ତି । ଯାହା ସରକାରଙ୍କୁ ନିନ୍ଦିତ କରୁଥିଲା ବେଳେ ଯୋଗାଣ ବିଭାଗ ଉପରେ ବିଶ୍ୱାସ ତୁଟି ଯାଉଛି । ଏଲପିଜି ଗ୍ୟାସକୁ ନେଇ ସାରା ରାଜ୍ୟରେ ହାହା କାର ପଡିଥିଲା ବେଳେ ଯୋଗାଣ ମନ୍ତ୍ରୀ କହିଥିଲେ ୫କେଜି ଏଲପିଜି ଗ୍ୟାସ ବନ୍ଦ ହେବ । ହେଲେ ବିବୃତିର କିଛି ଘଣ୍ଟା ପରେ ବିଭାଗୀୟ ସଚିବ ମନ୍ତ୍ରୀଙ୍କ ବିବୃତିକୁ କାଟିଥିଲେ । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଭିନ୍ନ ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରି ଲୋକଙ୍କୁ ସିଧାସଳଖ ବିଭିନ୍ନ ସୂଚନା ଦେଉଛନ୍ତି । ଲୋକ ଏହାକୁ ବିଶ୍ୱାସକୁ ନେଉଛନ୍ତି । କିନ୍ତୁ ମୋହନଙ୍କ କ୍ୟାବିନେଟର ମନ୍ତ୍ରୀ ବାରମ୍ବାର ବିବାଦୀୟ ବୟାନ ଦେଇ ସରକାରକୁ ଅଡୁଆରେ ପକାଉଛନ୍ତି ।
ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବାରମ୍ବାର ବିବାଦୀୟ ଓ ଖାମଖିଆଲି ବୟାନ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଅଡୁଆରେ ପକାଉଛନ୍ତି । ଏବେ ଏଲପିଜିକୁ ନେଇ ବିବାଦୀୟ ବୟାନ ଦେଇଥିବାବେଳେ ପୂର୍ବରୁ ପିଏନଜି, ଆଳୁ ଓ ଧାନ ବିକ୍ରି ପ୍ରସଙ୍ଗରେ ବିବୃତି ଦେଇ ସମାଲୋଚିତ ହୋଇଥିଲେ ଶ୍ରୀ ପାତ୍ର । ମନ୍ତ୍ରୀଙ୍କ ବୟାନ ଦ୍ୱନ୍ଦ୍ୱ ସୃଷ୍ଟି କରୁଥିବାରୁ ଜନତାଙ୍କ ନିକଟକୁ ଭୂଲ୍ ବାର୍ତ୍ତା ମଧ୍ୟ ଯାଉଛି । ମନ୍ତ୍ରୀଙ୍କ କଥାକୁ ଲୋକେ ଅତି ହାଲୁକା ଭାବେ ନେଇ ଉପହାସ ମଧ୍ୟ କରୁଛନ୍ତି । ମନ୍ତ୍ରୀ ଓ ବିଭାଗ ମଧ୍ୟରେ ସମନ୍ୱୟ ନଥିବା ନେଇ ଚର୍ଚ୍ଚା ହେଉଛି ।




















