ଓଡ଼ିଶା ଲିଡ୍ସ(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଲୋକଙ୍କ ସଂଖ୍ୟା ବଢୁଥିଲା ବେଳେ ସମସ୍ୟା ବହୁଳ ହୋଇ ପଡୁଛି ରାଜଧାନୀ । ବର୍ଷା ହେଲେ ଜଳ ନିଷ୍କାସନ ସମସ୍ୟା ରାଜଧାନୀବାସୀଙ୍କୁ ନୟାନ୍ତ କରିଥାଏ । ବିଭିନ୍ନ ସ୍ଥାନରେ ବନ୍ୟାର ଭ୍ରମ ମଧ୍ୟ ସୃଷ୍ଟି ହୋଇଥାଏ । ଘରେ ପାଣି ପଶି ବ୍ୟାପକ କ୍ଷତି ମଧ୍ୟ କରିଥାଏ । ହେଲେ ଜଳ ନିଷ୍କାସିତ ହେଉଥିବା ପ୍ରମୁଖ ଡ୍ରେନ ଗୁଡିକୁ ସଫା ସୁତୁରା ରଖିବାକୁ ବିଏମସି ପକ୍ଷରୁ ପଦକ୍ଷେପ ନେବାରେ ଅବହେଳା କରାଯାଉଥିବା ଅଭିଯୋଗ ହୋଇଥାଏ । ଗତକାଲି ଭୁବନେଶ୍ୱରରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ ହୋଇଥିଲା । ବିକ୍ଷିପ୍ତ ଭାବେ ବର୍ଷା ହେବାରୁ ବିଭିନ୍ନ ସ୍ଥାନରେ ଜଳ ନିଷ୍କାସନ ସମସ୍ୟା ଦେଖା ଦେଇଥିଲା । ସାମନ୍ତରାପୁର ଠାରେ ମଧ୍ୟ ଏହି ସମସ୍ୟା ଦେଖା ଦେଇଥିଲା । ଏହି ଅଞ୍ଚଳରେ ଥିବା ମୁଖ୍ୟ ଡ୍ରେନରେ ବିପୁଳ ପରିମାଣରେ ଅଳିଆ, ଆବର୍ଜନା ଗଦା ହୋଇଥିବାରୁ ଜଳ ନିଷ୍କାସନରେ ସମସ୍ୟା ଦେଖା ଦେଇଥିଲା । ଆଜି ଏହି ଡ୍ରେନକୁ କିଛି କର୍ମଚାରୀ ସଫା କରୁଥିଲା ବେଳେ ବର୍ଷା ଦିନ ପୂର୍ବରୁ ଏହି ଡ୍ରେନକୁ ସମ୍ପୂର୍ଣ୍ଣ ସଫେଇ କରିବାକୁ ସାଧାରଣରେ ଦାବି ହୋଇଛି ।




















