ଓଡ଼ିଶା ଲିଡ୍ସ(ଦଶରଥପୁର): ବୈତରଣୀ ଓ ଶାଖା କାଣୀ ନଦୀରେ ବନ୍ୟା ଆସିବା ଯୋଗୁ ଦଶରଥପୁର ବ୍ଲକ ତରପଦା ପଞ୍ଚାୟତ ପାଟଣାସାହି ନିକଟରେ ୨ଟି ଘାଇ ସୃଷ୍ଟି ହୋଇଥିଲା । ଘାଇ ହେବା ଫଳରେ କାଣୀ ନଦୀ ଅବବାହିକା ତରପଦା ଓ କସପା ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଘାଇରୁ ନିଷ୍କାସିତ ବନ୍ୟା ପାଣି ଚାଷଜମି, ରାସ୍ତାଘାଟ ଠାରୁ ଆରମ୍ଭ କରି ବାସଗୃହରେ ପ୍ରବେଶ କରି ପଞ୍ଚାୟତ ଲୋକଙ୍କ ଜୀବନଜୀବିକା ଉଜାଡି ଦେଇଛି। ବନ୍ୟା ପ୍ରକୋପ ହ୍ରାସ ପାଇଥିଲେ ମଧ୍ୟ ବିପନ୍ନଙ୍କ ଅବସ୍ଥା ଏବେ ବି ସୁଧୁରି ନାହିଁ। ଏହି ପରିପ୍ରେକ୍ଷୀରେ ଦଶରଥପୁର ବ୍ଲକ ବିରିପଟା ଅଞ୍ଚଳର ବରିଷ୍ଠ ସ୍ବେଛାସେବୀ ବିଜୟ ଧଳ ଓ ତାଙ୍କ କନ୍ୟା କାବ୍ୟା ପ୍ରିୟା ଧଳ ବନ୍ୟା ବିପନ୍ନଙ୍କ ସହାୟତା ପ୍ରଦାନ କରିଛନ୍ତି । ତରପଦା ଓ କସପା ପଞ୍ଚାୟତର ବନ୍ୟାଂଚଳର ବିପନ୍ନଙ୍କୁ ଆଜି ବିଭିନ୍ନ ପ୍ରକାରର ସାମଗ୍ରୀ ବଣ୍ଟନ କରିଛନ୍ତି । ଯାଜପୁର ଉପଖଣ୍ଡ ଏସ୍ଡ଼ିପିଓ ପ୍ରଶାନ୍ତ କୁମାର ମାଝୀ, ଦଶରଥପୁର ଥାନାଧିକାରୀ ସୁବ୍ରତ କୁମାର ସାହୁ, ମଙ୍ଗଳପୂର ଥାନାଧିକାରୀ ଭୁବନ ମୋହନ ସେଠୀ, ପ୍ରାକ୍ତନ ଦଶରଥପୁର ବ୍ଲକ ଅଧକ୍ଷ ରମେଶ ସାମଲ, ହିମାଂଶୁ ଶେଖର ନାୟକ, ଚିନ୍ମୟ ମାହୁନ୍ତ, ସୁମନ ନାୟକ, ସରପଞ୍ଚ ପ୍ରତିନିଧି ଶୁଭ ପ୍ରକାଶ ନାୟକ ପ୍ରମୁଖଙ୍କ ଉପସ୍ଥିତିରେ ଉକ୍ତ ସହାୟତା ପ୍ରଦାନ କରାଯାଇଥିଲା । ବନ୍ୟା ବିପନ୍ନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ, ପାନୀୟଜଳ, ଛତା, ଶାଢ଼ୀ, ପୋଷାକ ଆଦି ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମରେ ସ୍ଥାନୀୟ ଜନ ପ୍ରତିନିଧି ମଧ୍ୟ ସହଯୋଗ କରିଥିଲେ।




















