ଓଡ଼ିଶା ଲିଡ୍ସ(ବ୍ୟୁରୋ): କୋଟି କୋଟି ସ୍ରୋତାଙ୍କ ହୃଦୟକୁ ଶୁନ୍ୟ କରି ୮୮ ବର୍ଷ ବୟସରେ ପରପାରିକୁ ଚାଲି ଯାଇଛନ୍ତି ଓଡ଼ିଆ ସଙ୍ଗୀତ ଜଗତର କିମ୍ବଦନ୍ତୀ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଛି । ‘ହୃଦୟର ଏଇ ଶୂନ୍ୟତାକୁ ଯଦି ପଚାରି…..ଭଳି ଅନେକ ଲୋକପ୍ରିୟ ଗୀତର ଏହି ଯାଦୁଗର ଆଜି ସମସ୍ତଙ୍କ ହୃଦୟକୁ ଖାଲି ଜରିଦେଇ ଅଫେରା ରାଇଜକୁ ଚାଲି ଯାଇଛନ୍ତି । ଗାୟକ ପ୍ରଣବ ପଟ୍ଟନାୟକ ଦୀର୍ଘ ପାଞ୍ଚ ଦଶନ୍ଧି ଧରି ଓଡ଼ିଆ ସଙ୍ଗୀତ ଜଗତରେ ସକ୍ରିୟ ଥିଲେ । ସେ ଦୁଇ ଶହରୁ ଅଧିକ ସଂଗୀତରେ କଣ୍ଠଦାନ କରି ଘରେ ଘରେ ପରିଚିତ ଥିଲେ । ଭଜନ ଠାରୁ ନେଇ ଗଜଲ ପର୍ଯ୍ୟନ୍ତ ସବୁ ଗୀତରେ ଥିଲା ତାଙ୍କ କଣ୍ଠର ଯାଦୁ । ତାଙ୍କ ବିୟୋଗ ଓଡ଼ିଆ ସଙ୍ଗୀତ ଜଗତରେ ବିରାଟ ଶୁନ୍ୟସ୍ଥାନ ସୃଷ୍ଟି କରିଛି । ତାଙ୍କ ବିୟୋଗରେ ସାରା ରାଜ୍ୟର ସଙ୍ଗୀତ ପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିରୋଧି ଦଳ ନେତା ନବୀନ ପଟ୍ଟନାୟକ, ପୂର୍ବତନ ଅର୍ଥମନ୍ତ୍ରୀ ଡ଼. ପ୍ରଫୁଲ ଚନ୍ଦ୍ର ଘଡାଇ, ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀ, ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।




















