ଓଡ଼ିଶା ଲିଡ୍ସ(ବ୍ୟୁରୋ): ଖାଉଟି ପଇସା ଦେଇ ଜିନିଷ କିଣୁଥିଲା ବେଳେ ବଜାରରୁ ଭଲ ଜିନିଷ କିଣିବାକୁ ଚାହିଁଥାଏ । ହେଲେ ବଜାରରେ ଚିକ ଚିକ ଦେଖା ଯାଉଥିବା ଜିନିଷ ଯେ ନକଲି ଏହା ଖାଉଟିଙ୍କ ପକ୍ଷରେ ଜାଣିବା ମୁସ୍କିଲ । ଫଳରେ ଏହି ସବୁ ଜିନିଷକୁ ବ୍ୟବହାର କରି ଖାଉଟି ମାରତ୍ମକ ରୋଗର ଶିକାର ହେଉଛନ୍ତି । ଫଳ ଠାରୁ ନେଇ ପନିପରିବା; ତେଲ, ଘିଅ ଠାରୁ ନେଇ ମସଲା ପର୍ଯ୍ୟନ୍ତ ସବୁ ନକଲି । ଫଳକୁ ସତେଜ ରଖିବାକୁ ମାରାତ୍ମକ ରସାୟନିକ ପ୍ରଲେପ ଦିଆ ଯାଉଥିଲା ବେଳେ କଦଳୀ ପଚାଇବାକୁ ବ୍ୟବହାର କରାଯାଉଛି ରାସାୟନିକ ପଦାର୍ଥ । ମସଲା ନକଲି ହୋଇଥିଲା ବେଳେ ପନିର, ଛେନା, କ୍ଷୀର ସହିତ ପାନ ମସଲା ବି ନକଲି । ଭଲ ଖାଇବାକୁ ଖାଉଟି ବିପୁଳ ଅର୍ଥ ବ୍ୟୟ କରୁଥିଲା ବେକେ ନକଲି ଜିନିଷ ଖାଇ ବିଭିନ୍ନ ମାରାତ୍ମକ ରୋଗର ଶିକାର ହେଉଛନ୍ତି । କ୍ୟାନ୍ସର, କିଡନୀ, ପେଟ ରୋଗର ଶିକାର ଜନସାଧାରଣ ହେଉଥିଲା ବେଳେ ଦିନକୁ ଦିନ ହୃଦରୋଗୀଙ୍କ ସଂଖ୍ୟା ବି ବଢିବଢି ଚାଲିଛି । ବିଶେଷ କରି ଫାଷ୍ଟ ଫୁଡ଼ ଦୋକାନ ଗୁଡିକରେ ଦିଆ ଯାଉଥିବା ଖାଦ୍ୟ ଅତି ନିମ୍ନ ମାନର ବୋଲି ଅଭିଯୋଗ ହେଉଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ନୀରବତା କାରଣରୁ ଏହି ନିମ୍ନ ମାନର ଖାଦ୍ୟ ଦ୍ରବ୍ୟ ବିକ୍ରି ଦିନକୁ ଦିନ ବଢି ଚାଲିଛି । ଏହାର ସୁଯୋଗ ନେଇ ମୁନାଫା ଖୋର ବ୍ୟବସାୟୀ ନିଜର ପସରା ମେଲାଇ ଚାଲିଥିଲା ବେଳେ ଖାଉଟି ପଇସା ଖର୍ଚ୍ଚ କରି ରୋଗ କିଣିବା ସାର ହୋଇଛି ।




















