ଓଡ଼ିଶା ଲିଡ୍ସ(ବ୍ୟୁରୋ): ସୁପ୍ରିମକୋର୍ଟ ପରିସରରେ ବିରୋଧୀ ଦଳଙ୍କ ପ୍ରତିବାଦ ବେଳେ କଂଗ୍ରେସ ସାଂସଦ ତଥା ବିରୋଧି ଦଳ ନେତା ରାହୁଲ ଗାନ୍ଧି ଜଣେ ସାମ୍ବାଦିକାଙ୍କୁ ଠେଲାପେଲା କରିଥିବା ଅଭିଯୋଗ ହୋଇଛି। ସାମ୍ବାଦିକା ଜଣକ ତିନି ମାସର ଗର୍ଭବତୀ ଥିବା ଜଣା ଯାଇଛି । ଜାତୀୟ ଗଣମାଧ୍ୟମ ସାମ୍ବାଦିକା ରିଚା ପରାଶର ଏହି ଅଭିଯୋଗ ଆଣିଛନ୍ତି । ରିଚା ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ଏଭଳି ଅଭିଯୋଗ ଆସିଥିଲା ବେଳେ କଂଗ୍ରେସ ଏହି ଅଭିଯୋଗକୁ ଖଣ୍ଡନ କରି ଏହାକୁ ବିଜେପିର ମିଥ୍ୟା ପ୍ରଚାର ବୋଲି କହିଛି। ଏହି ଘଟଣାକୁ ନେଇ ଦୁଇ ଦଳ ମଧ୍ୟରେ ରାଜନୈତିକ ବାକ୍ଯୁଦ୍ଧ ଜାରି ରହିଛି ।
ରିଚାଙ୍କ ଅଭିଯୋଗ ଅନୁଯାୟୀ, ନିର୍ବାଚନ ଆୟୋଗଙ୍କ ଏସଆଇଆରକୁ ନେଇ ବିରୋଧୀ ମେଣ୍ଟ ପକ୍ଷରୁ ପ୍ରତିବାଦ ଚାଲିଥିବା ବେଳେ ସେ ସୁପ୍ରିମକୋର୍ଟ ପରିସରରେ ରାହୁଲ ଗାନ୍ଧିଙ୍କ ବାଇଟ୍ ନେବାକୁ ଅପେକ୍ଷା କରିଥିଲେ। ସେ ମଧ୍ୟ ରାହୁଲ ଗାନ୍ଧିଙ୍କ ଆଡ଼କୁ ମାଇକ୍ ବଢ଼ାଇଥିଲେ। ରାହୁଲ ମାଇକ୍ ହଟାଇବାକୁ ଇଙ୍ଗିତ କରିବାରୁ ସେ ମାଇକ୍ ପଛକୁ ନେଇଥିଲେ। ଏହି ସମୟରେ ଅନ୍ୟ ସାମ୍ବାଦିକମାନେ ମାଇକ୍ ଆଗକୁ ବଢ଼ାଇବାରୁ ସେ ପୁଣି ମାଇକ୍ ଆଗକୁ ବଢ଼ାଇଥିଲେ ।
ଏହି ସମୟରେ ରାହୁଲ ତାଙ୍କ ହାତକୁ ଧରି ଜୋର୍ରେ ଟାଣି ଦେଇଥିଲେ। ପରେ ସୁରକ୍ଷାକର୍ମୀମାନେ ମଧ୍ୟ ତାଙ୍କୁ ଠେଲି ଦେବାରୁ ସେ ସୁପ୍ରିମକୋର୍ଟ ପ୍ରବେଶ ପଥରେ ଥିବା ପାହାଚ ଉପରେ ମୁହଁ ମାଡ଼ି ପଡ଼ିଯାଇଥିଲେ। ପଡିଯିବା ଫଳରେ ତାଙ୍କ ଆଣ୍ଠୁ ଓ ପେଟ ତଳେ ମାଡ଼ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଏହା ସହ ରାହୁଲ ତାଙ୍କ କ୍ୟାମେରା ମ୍ୟାନଙ୍କୁ ମଧ୍ୟ ଠେଲି ଦେଇଥିଲେ । କ୍ୟାମେରା ମ୍ୟାନ ରିଚାଙ୍କ ଉପରେ ପଡ଼ିଯିବା ପରେ ଅନ୍ୟ କେତେଜଣ ମଧ୍ୟ ତାଙ୍କ ଉପରେ ପଡ଼ିଯାଇଥିବା ରିଚା ଅଭିଯୋଗ କରିଛନ୍ତି। ଏହି ଠେଲାପେଲା ଭିତରେ ତାଙ୍କ ମୋବାଇଲ୍ ଫୋନ୍ ଭାଙ୍ଗିଯାଇଥିବା ବେଳେ ମାଇକ୍ର ରିସିଭର ମଧ୍ୟ ଖସିଯାଇଥିବା ରିଚା କହିଛନ୍ତି। ଏ ନେଇ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏହା କୌଣସି ରାଜନୈତିକ ଦଳର ପ୍ରସଙ୍ଗ ନୁହେଁ। ସେ ଜଣେ ସାଧାରଣ ନାଗରିକ ଓ କାର୍ଯ୍ୟରତ ସାମ୍ବାଦିକା।
ଘଟଣା ପରେ ତାଙ୍କୁ ନେଇ ସୋସିଆଲ୍ ମିଡିଆରେ ବିଭିନ୍ନ ମନ୍ତବ୍ୟ ଦିଆଯାଉଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି। ଏ ନେଇ ରିଚା ଘଟଣା ସମୟର ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି। କିନ୍ତୁ କଂଗ୍ରେସ ନେତା ଓ ସମର୍ଥକମାନେ ଏହି ଭିଡିଓରେ ରାହୁଲ ଗାନ୍ଧି ତାଙ୍କୁ ଟାଣିବା କିମ୍ବା ଠେଲିବା ସ୍ପଷ୍ଟ ଦେଖାଯାଉନାହିଁ ବୋଲି ଦାବି କରିଛନ୍ତି। ଭିଡିଓକୁ ନେଇ ଦୁଇ ପକ୍ଷ ଭିନ୍ନ ଭିନ୍ନ ମତ ଦେଇଛନ୍ତି ।
ଅନ୍ୟ ପକ୍ଷରେ କଂଗ୍ରେସ ନେତ୍ରୀ ଅଳକା ଲାମ୍ବା ସୋସିଆଲ୍ ମିଡିଆ ‘ଏକ୍ସ’ରେ ଏକ ପୋଷ୍ଟ କରି ରିଚାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ ଘଟଣାର ସମୟ ଓ ହସ୍ପିଟାଲ୍ରେ ପହଞ୍ଚିବା ସମୟ ମଧ୍ୟରେ ମେଳ ଖାଉନାହିଁ ବୋଲି କହିଛନ୍ତି । ବିଜେପି ଏହି ଘଟଣାକୁ ରାଜନୈତିକ ପ୍ରଚାରର ରୂପ ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ଅଳକା ଲମ୍ବା । ତେବେ ଗର୍ଭାବସ୍ଥାରେ ତାଙ୍କର ଏକ୍ସରେ କେମିତି ହେଲା ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି ।



















