ଓଡ଼ିଶା ଲିଡ୍ସ(ସୁକିନ୍ଦା): ସୁକିନ୍ଦା ମହାବିଦ୍ୟାଳୟର କର୍ମଚାରୀଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଣ ଶିକ୍ଷକ କର୍ମଚାରୀ ଉଦ୍ଧବ ଚରଣ ବେହେରା ଅଵସର ଗ୍ରହଣ କରିଛନ୍ତି । ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ମହାବିଦ୍ୟାଳୟ ଅଡିଟୋରିଅମରେ ଅଧ୍ୟକ୍ଷ ହିମାଂଶୁ ଶେଖର ଦ୍ଵିବେଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ସମ୍ବର୍ଦ୍ଧନା ସଭାରେ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ଦୋଳ ଗୋବିନ୍ଦ ବଳ, ଦୁର୍ଯ୍ୟୋଧନ ବେହେରା, କୃଷ୍ଣ ବଲ୍ଲଭ ଶତପଥୀ, ଶରତ କୁମାର ନାୟକ, ଜ୍ଞାନ ରଞ୍ଜନ ନାୟକ, ପ୍ରାକ୍ତନ ଅଧ୍ୟାପକ ବନମାଳୀ ନାୟକ, ପଦ୍ମନାଭ ରାଉତ, ଦିନବନ୍ଧୁ ସେଠୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଅବସର ଗ୍ରହଣ କରୁଥିବା ଉଦ୍ଧବ ଚରଣ ବେହେରାଙ୍କ ଗୁଣାବଳୀ ଆଲୋଚନା କରିବା ସହିତ ତାଙ୍କ କାର୍ଯ୍ୟ ଦକ୍ଷତାର ଭୁୟସୀ ପ୍ରଶଂସା କରିଥିଲେ। ମହାବିଦ୍ୟାଳୟ ପକ୍ଷରୁ ଶ୍ରୀ ବେହେରାଙ୍କୁ ମାନପତ୍ର, ଉତ୍ତରୀୟ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ଅଧ୍ୟକ୍ଷ ।ଏହା ସହିତ ଅନ୍ୟ ମାନେ ମଧ୍ୟ ବିଭିନ୍ନ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଅଧ୍ୟାପକ ଡଃ ଲକ୍ଷ୍ମୀକାନ୍ତ ଦାଶ ଶ୍ରୀ ବେହେରାଙ୍କ ଉପରେ ରଚନା କରିଥିବା ଏକ କବିତା ପାଠ କରିଥିଲେ। ପ୍ରାଧ୍ୟାପକ ପ୍ରଫୁଲ୍ଲ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଣ ଶିକ୍ଷକ କର୍ମଚାରୀ, ଅନେକ ଅବସର ପ୍ରାପ୍ତ ଅଧ୍ୟାପକ କର୍ମଚାରୀ ଯୋଗ ଦେଇ ଶ୍ରୀ ବେହେରାଙ୍କ ଅବସର ପରବର୍ତ୍ତୀ ଜୀବନ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଥିଲେ। କାର୍ଯ୍ୟକ୍ରମ ଶେଷ ରେ ସମସ୍ତ ଅଧ୍ୟାପକ କର୍ମଚାରୀ ଏକ ଶୋଭାଯାତ୍ରାରେ ଯାଇ ଶ୍ରୀ ବେହେରାଙ୍କୁ ତାଙ୍କ ବାସଭବନରେ ଛାଡି ଆସିଥିଲେ।



















