ଓଡ଼ିଶା ଲିଡ୍ସ(ବ୍ୟୁରୋ): ଗଞ୍ଜାମ ଜିଲ୍ଲାରେ ବାତ୍ୟା ଅର୍ଣ୍ଣବ ପ୍ରଭାବରେ ପ୍ରବଳ ବନ୍ୟା ଆସିବା ଦ୍ୱାରା ବନ୍ୟା ତାଣ୍ଡବ ରଚିଛି । ବନ୍ୟା ପୀଡିତ ମାନଙ୍କୁ ଉପଯୁକ୍ତ ସରକାରୀ ସହାୟତା ପ୍ରଦାନ କରାଯାଉ ନଥିବାର ଅଭିଯୋଗ ହେଉଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଆଜି ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ । ଖଲ୍ଲିକୋଟ ଏନଏସିର କୁମ୍ଭାର ସାହି ଗସ୍ତ ବେଳେ ସରକାରୀ ସହାୟତା ମିଳୁନଥିବା ଅଭିଯୋଗରେ ଲୋକେ ତାଙ୍କୁ ଘେରିବା ସହିତ ଯୁକ୍ତିତର୍କ କରିଥିଲେ । ଏହି ସମୟରେ କେହି ଜଣେ ତାଙ୍କ ବେକରେ ଗାମୁଛା ପକାଇ ଟାଣି ଦେବାରୁ ସେ ତଳେ ପଡି ଯାଇଥିଲେ । ଫଳରେ ସେ ଆହତ ହୋଇଥିଲେ । ଏହା ପରେ ସେ ମେଡିକାଲ ଯାଇ ଚିକିତ୍ସିତ ହୋଇଥିଲେ । ଏ ବିଷୟରେ ପଚାରିବାରୁ ବିଧାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି ଲୋକମାନେ ଅସୁବିଧାରେ ଥିବାରୁ ଉତକ୍ଷିପ୍ତ ହୋଇ ପଡିଛନ୍ତି । କିଛି ଲୋକ ଉଷୁକାଇବାରୁ ମୋତେ ଆକ୍ରମଣ କରିଛନ୍ତି । ଏ ନେଇ ମୋର କାହା ବିରୁଦ୍ଧରେ ଅଭିଯୋଗ ନଥିବା ମଧ୍ୟ ବିଧାୟକ କହିଛନ୍ତି ।


















