ଓଡ଼ିଶା ଲିଡ୍ସ(ଯାଜପୁର): ଜିଲ୍ଲାର ଅନ୍ୟତମ ଗୌରବମୟ ଶିକ୍ଷା ଅନୁଷ୍ଠାନ ଯାଜପୁର ଟାଉନ ସ୍ଥିତ ନରସିଂହ ଚୌଧୁରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ । ଏହି ଶିକ୍ଷାନୁଷ୍ଠାନରେ ରାଜ୍ୟର ବିଭିନ୍ନ ଜିଲ୍ଲାର ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ଗ୍ରହଣ କରୁଛନ୍ତି । ଉଭୟ ଛାତ୍ରଛାତ୍ରୀଙ୍କ ପାଇଁ ଛାତ୍ରାବାସ ରହିଥିଲା ବେଳେ ନିକଟବର୍ତ୍ତୀ ଅଞ୍ଚଳରେ ଗଢି ଉଠିଥିବା ମେସ ଗୁଡିକରେ ମଧ୍ୟ ଛାତ୍ରଛାତ୍ରୀ ରହି ଶିକ୍ଷା ଗ୍ରହଣ କରୁଛନ୍ତି । ହେଲେ ଏହି ଗୌରବମୟ ଶିକ୍ଷାନୁଷ୍ଠାନ ନାମରେ କଳଙ୍କ ବୋଳି ଦେଉଛନ୍ତି କିଛି ନିଶାଡି । ସଞ୍ଜ ନଇଁଲେ କଲେଜ ପରିସରରେ ମଦ୍ୟପଙ୍କ ଆଖଡା ଜମୁଛି । ମଦ୍ୟପାନ ପରେ ଏହି ଯୁବକ ମାନେ ବାହାରୁ ଆସି ଛାତ୍ରାବାସରେ ରହୁଥିବା ଛାତ୍ର ମାନଙ୍କୁ ଧମକ ଚମକ ଦେବା ସହିତ ମାଡ଼ ମଧ୍ୟ ମାରୁଥିବା ଅଭିଯୋଗ ହେଉଛି । ଭୟରେ ଏହି ଛାତ୍ର ମାନେ ଏହାର ପ୍ରତିବାଦ ମଧ୍ୟ କରୁ ନାହାନ୍ତି । କଲେଜ କର୍ତ୍ତୃପକ୍ଷ ମଧ୍ୟ ଏମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଭୟ କରୁଥିବା ଅଭିଯୋଗ ହେଉଛି ।
ନିଶାସକ୍ତ ଯୁବକମାନେ ବିଭିନ୍ନ ସମୟରେ ଏହି କଲେଜରୁ ଚୋରି କରୁଥିବାର ନଜିର ମଧ୍ୟ ରହିଛି । କଲେଜର ବିଭିନ୍ନ ଅଂଶର ଲୁହା ଗ୍ରୀଲ କିଛି ମାସ ପୂର୍ବରୁ କେହି ତାଡି ନେଇଥିଲା ବେଳେ କଲେଜର ଦାମି ଚେୟାର ଟେବୁଲ ମଧ୍ୟ ଚୋରି ହୋଇଛି । ହେଲେ ଏ ନେଇ ସେଭଳି କିଛି ଠୋସ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଯାଜପୁର ପୋଲିସର ପାଟ୍ରୋଲିଂ ଗାଡି କଲେଜ ସମ୍ମୁଖ ରାସ୍ତାରେ ବୁଲୁଥିଲା ବେଳେ କଲେଜ ପରିସରକୁ କାହିଁକି ଯାଏ ନାହିଁ ତାର ଉତ୍ତର ମଧ୍ୟ କାହା ପାଖରେ ନାହିଁ । ସଂଧ୍ୟାରୁ ଡେରି ରାତି ପର୍ଯ୍ୟନ୍ତ ନିଶାଡି କଲେଜ ପରିସରରେ ଆଡ୍ଡା ଜମାଉଥିଲା ବେଳେ କଲେଜ କର୍ତ୍ତୃପକ୍ଷଙ୍କ ସହିତ ପୋଲିସ ଏମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବି ମହଲରେ ଦାବି ହୋଇଛି ।




















