ଓଡ଼ିଶା ଲିଡ୍ସ(ଯାଜପୁର): ଯାଜପୁର-ବରୁଆଁ ୨୦ ନମ୍ୱର ଜାତୀୟ ରାଜପଥର ମଲ୍ଲିକାପୁର ଠାରୁ ମାନସା ପୋଲ ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡିଛି । ଅତ୍ୟନ୍ତ ବ୍ୟସ୍ତ ବହୁଳ ଏହି ରାସ୍ତାର ବିଭିନ୍ନ ସ୍ଥାନରେ ପାଣି ଜମି ବଡ଼ ବଡ଼ ଗାଢ଼ ସୃଷ୍ଟି ହୋଇଛି । ବେଶ କିଛି ଦିନ ହେଲା ସୃଷ୍ଟି ହୋଇଥିବା ଏହି ଗାଢ଼ ସବୁ ଦିନକୁ ଦିନ ବୃଦ୍ଧି ପାଇ ଚାଲିଛି । ଜମୁଥିବା ବର୍ଷା ପାଣି କିଭଳି ନିଷ୍କାସନ ହେବ ଓ ସୃଷ୍ଟି ହୋଇଥିବା ଗାଢ଼ କିଭଳି ମରାମତି ହେବ ସେ ନେଇ ଜାତୀୟ ରାଜପଥ ବିଭାଗ ଆଦୌ ଦୃଷ୍ଟି ଦେଉନାହିଁ । ଫଳରେ ବର୍ଷା ସମୟରେ ଏହି ଖାଲରେ ପଡି ପଥଚାରୀ ଖଣ୍ଡିଆ ଖାଵରା ହେଉଛନ୍ତି । ଏହି ରାସ୍ତାର ଲଳିତେଶ୍ୱର ନଗର ଛକରେ ସୃଷ୍ଟି ହୋଇଥିବା ଗାଢ଼ରେ ପଡି ଦୁଇଦିନ ତଳେ ୧୫ ଜଣରୁ ଅଧିକ ବାଇକ ଚାଳକ ଆହତ ହୋଇଥିଲେ । ଏହି ରାସ୍ତା ଦେଇ ଦୈନିକ ହଜାର ହଜାର ସଂଖ୍ୟାର ଗାଡି ଗତାଗତ କରୁଥିଲା ବେଳେ ବହୁ ଗାଡି ଖାଲରେ ପଡି ଭାଙ୍ଗିରୁଜି ମଧ୍ୟ ଯାଉଛି । ଜିଲ୍ଲା ମୁଖ୍ୟାଳୟରେ ଥିବା ଏହି ରାସ୍ତା ଦେଇ ଦୈନିକ ଜିଲ୍ଲାର ବଡ଼ବଡ଼ ଅଧିକାରୀ, ରାଜନେତା ଗତାଗତ କରୁଥିଲା ବେଳେ ଏଥିପ୍ରତି ସେମାନଙ୍କ ଦୃଷ୍ଟି ନପଡିବା ବି ଜନସାଧାରଣଙ୍କୁ ଚକିତ କରିଛି ।




















