ଓଡ଼ିଶା ଲିଡ୍ସ(ବ୍ୟୁରୋ):ପ୍ରଥମରୁ ଅଷ୍ଟମ ଶ୍ରେଣୀ ଓଡ଼ିଆ ପାଠ୍ୟପୁସ୍ତକରେ ଶହଶହ ଭୁଲ ବାହାରିବା ବିଜେପି ସରକାରର ଅତ୍ୟନ୍ତ ଦାୟିତ୍ବହୀନ ତଥା ଖାମଖିଆଲି ମନୋଭାବକୁ ଦର୍ଶାଉଛି ବୋଲି କହିଛନ୍ତି ଵିରୋଧି ଦଳ ନେତା ନବୀନ ପଟ୍ଟନାୟକ ।
ସେ କହିଛନ୍ତି, ପିଲାମାନଙ୍କୁ ଏ ସରକାର ଠିକ ସମୟରେ ପାଠ୍ୟପୁସ୍ତକ ଯୋଗାଇ ପାରୁନଥିବା ବେଳେ, ମିଳିଥିବା ପାଠ୍ୟପୁସ୍ତକରେ ବି ଅନେକ ଭୁଲ ବାହାରିବା ପିଲାଙ୍କ ପାଠପଢ଼ା ଆଶାକୁ ଭାଙ୍ଗି ଦେଇଛି। ଶିକ୍ଷା ହେଉଛି ଜୀବନର ମେରୁଦଣ୍ଡ, ଶିକ୍ଷା ସମୃଦ୍ଧିର ବାଟ ଫିଟାଇଥାଏ। ହେଲେ ବିଜେପି ସରକାରରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ବିଜେପି ସରକାର ପିଲାଙ୍କ ଭବିଷ୍ୟତ ଏମିତି ଗଢ଼ିବାକୁ ଚାହୁଁଛି?
ପାଠ୍ୟପୁସ୍ତକରେ ରମହାପୁରୁଷଙ୍କ ନାମକୁ କଦର୍ଥ କରିବା, ଗଞ୍ଜାମ ବଦଳରେ ବ୍ରହ୍ମପୁରକୁ ଜିଲ୍ଲା ଭାବେ ଅଭିହିତ କରିବା, ଭୁଲ ବନାନ ଲେଖାଯିବା ଛୋଟିଆ କଥା ନୁହେଁ। ‘ଓଡ଼ିଆ ଅସ୍ମିତା’ର ନାରା ଦେଇ ବିଜେପି କ୍ଷମତାକୁ ଆସିବା ପରେ ଓଡ଼ିଆ ଭାଷା ଓ ଲିପିକୁ ସର୍ବାଧିକ କଦର୍ଥ କରାଯାଇଛି। ଶୈଶବରୁ ପିଲାମାନଙ୍କ ଶିକ୍ଷା ସହ ବିଜେପି ସରକାର କରୁଥିବା ସାଲିସ୍ କଦାପି କ୍ଷମଣୀୟ ନୁହେଁ। ତୁରନ୍ତ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବା ସହ ପିଲାମାନଙ୍କ ଉତ୍ତମ ଶିକ୍ଷା ସୁନିଶ୍ଚିତ କରାଯାଉ ବୋଲି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଵିରୋଧି ଦଳ ନେତା ନବୀନ ପଟ୍ଟନାୟକ ।




















