ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆସନ୍ତା ୧୮ ତାରିଖରେ ସାରା ରାଜ୍ୟରେ ସ୍କୁଲ ଖୋଲିବ ବୋଲି ସରକାର ଘୋଷଣା କରିଛନ୍ତି । ଏହି ଦିନ ସମସ୍ତ ଘରୋଇ ଓ ସରକାରୀ ସ୍କୁଲ ଖୋଲିବ। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ଦୀର୍ଘଦିନର ଛୁଟି ସମୟ ପରେ ସରକାରଙ୍କ ଘୋଷଣା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ, ଛାତ୍ରଛାତ୍ରୀ ଏ ନେଇ ତତ୍ପର ହୋଇଛନ୍ତି । ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ସ୍କୁଲ ଛୁଟି ଅବଧି ବଢ଼ିବ କି ନାହିଁ ସେନେଇ ଦ୍ବନ୍ଦ୍ବ ଦେଖାଦେଇଥିଲା । ହେଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏ ନେଇ ଘୋଷଣା କରିବା ପରେ ଚର୍ଚ୍ଚାର ଏକ ପ୍ରକାର ଅନ୍ତ ଘଟିଛି ।
ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି ଆସନ୍ତା ୧୮ ତାରିଖରେ ଖରା ଛୁଟିର ସମୟସୀମା ସରୁଛି। ତେଣୁ ନିର୍ଦ୍ଧାରିତ ସମୟରେ ହିଁ ସ୍କୁଲ ଗୁଡ଼ିକ ଖୋଲିବ। ତେବେ ଆଗକୁ ଯଦି ଅସହ୍ୟ ଗରମ କିମ୍ବା ଗୁଳୁଗୁଳି ହୁଏ, ତେବେ ପରିସ୍ଥିତିକୁ ଦେଖି ପରବର୍ତ୍ତୀ ସମୟରେ ଏ ନେଇ ବିଚାର କରାଯିବ। ହେଲେ ବର୍ତ୍ତମାନ ସୁଦ୍ଧା ଛୁଟି ବଢ଼ାଇବା ନେଇ କୌଣସି ଅଲଗା ନିଷ୍ପତ୍ତି ହୋଇନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।




















