ଓଡ଼ିଶା ଲିଡ୍ସ(ଗଞ୍ଜାମ): ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ନିମିନା ପଞ୍ଚାୟତରେ ଭତ୍ତା ଟଙ୍କା ବଣ୍ଟନଙ୍କୁ ନେଇ ହଟହଟା ହୋଇଛନ୍ତି ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧୂକାରୀ । ଆସିକା ବ୍ଲକର ନିର୍ଦ୍ଦେଶ ଅନୁସାରେ ଜୁନ ମାସର ୮୨୫ ଜଣଙ୍କର ମଧୁବାବୁ ପେନସନ ହିତାଧିକାରୀଙ୍କ ଭତ୍ତା ବଣ୍ଟନ ପାଇଁ ସବୁ ପ୍ରସ୍ତୁତି ହୋଇଥିଲା । ସକାଳୁ ଶତାଧିକ ବୃଦ୍ଧ, ବୃଦ୍ଧା, ବିଧବା, ଦିବ୍ୟାଙ୍ଗ ମାନେ ସେମାନଙ୍କ ଖାତା ଧରି ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ପିଇଓ ଏବଂ ସରପଞ୍ଚ ମଧ୍ୟ ପହଞ୍ଚି ଥିଲେ । ଉଭୟ ଭତ୍ତା ଟଙ୍କା ବାଣ୍ଟିବାକୁ ଗଲା ବେଳେ ହଠାତ କିଛି ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ପେନସନ ଯୋଜନାର ହିତାଧୂକାରୀ ପଞ୍ଚାୟତ କାର୍ଯ୍ୟାଳୟର ଫାଟକରେ ତାଲା ପକାଇ ପିଇଓଙ୍କୁ କାର୍ଯ୍ୟାଳୟ ମଧ୍ଯକୁ ଛାଡି ନଥିଲେ କି ଭତ୍ତା ଟଙ୍କା ବଣ୍ଟନରେ ସହଯୋଗ କରିନଥିଲେ । ଏହି ପଞ୍ଚାୟତରେ ଇନ୍ଦିରା ଗାନ୍ଧୀ
ଜାତୀୟ ବାର୍ଦ୍ଧକ୍ୟ ପେନସନ ଯୋଜନାରେ ବୃଦ୍ଧ ବୃଦ୍ଧା ୨୭୨ ଜଣ, ଦିବ୍ୟାଙ୍ଗ ୨୦ ଜଣ, ବିଧବା ୯୪ ଜଣ ରହିଛନ୍ତି । ସେଥୁରୁ କିଛି ବୃଦ୍ଧ ବୃଦ୍ଧା ଆଜି ସେମାନଙ୍କ ଅପ୍ରେଲ, ମେ, ଜୁନ ମୋଟ ୩ ମାସର ଭତ୍ତା ଟଙ୍କା ନିଜ ଜମା ଖାତାକୁ ଆସୁନଥିବାରୁ ମଧୁବାବୁ ପେନସନ ହିତାଧିକାରୀଙ୍କ ଭତ୍ତା ଟଙ୍କା ବଣ୍ଟନକୁ ବିରୋଧ କରିଥିଲେ । ଖବର ପାଇଁ ବିଡ଼ିଓ ରାଜେନ୍ଦ୍ର ନାୟକ, ଅତିରିକ୍ତ ବିଡ଼ିଓ ସୁଶାନ୍ତ କୁମାର ବେହେରା ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ବୁଝା ସୁଝା କରିଥିଲେ ମଧ୍ୟ କୌଣସି ସମାଧାନ ବାଟ ବାହାରି ନଥିଲା । ଫଳରେ ବାଧ୍ୟ ହୋଇ ଦୁଇ ଦିନ ପାଇଁ ମଧୁବାବୁ ପେନସନ ଭତ୍ତା ଟଙ୍କା ବଣ୍ଟନ ସ୍ଥଗିତ ରଖିବାକୁ ପିଇଓଙ୍କୁ ନିର୍ଦ୍ଦେଶ ଦେଇଥିଲେ ।




















