ଓଡ଼ିଶା ଲିଡ୍ସ(ବ୍ୟୁରୋ):ପୁଣି ଭାରତ ଆଗରେ ଆଣ୍ଠେଇଛି ପାକିସ୍ତାନ। ୨୦୨୫ରେ କ୍ରମାଗତ ୩ଟି ରବିବାରରେ ୩ଟି ମ୍ୟାଚ୍ ଖେଳି ୩ଟି ଯାକରେ ହାରିଥିଲା ପାକିସ୍ତାନ। ଆଜି ଏସୀୟ କ୍ରୀଡ଼ାର ଫାଇନାଲରେ ପାକିସ୍ତାନକୁ ହରାଇ ଭାରତ କ୍ରମାଗତ ଦ୍ୱିତୀୟ ଥର ପାଇଁ କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଛି । ୨୦୨୩ରେ ଋତୁରାଜ ଗାଏକ୍ୱାଡଙ୍କ ଯୁବ ଟିମ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା। ଏବେ ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଭାରତୀୟ ଟିମ ସ୍ୱର୍ଣ୍ଣ ପଦକ ହାସଲ କରିଛି। ପାକିସ୍ତାନକୁ ଭାରତ୧୯ ରନରେ ହରାଇ ଇତିହାସ ଲେଖିଛି । ଟି-୨୦ ଫର୍ମାଟରେ ଏହା ପାକିସ୍ତାନ ବିପକ୍ଷରେ ଭାରତର କ୍ରମାଗତ ୭ମ ବିଜୟ। ସ୍ୱର୍ଣ୍ଣ ମୁକାବିଲାରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ଅଭିଷେକ ଶର୍ମାଙ୍କ ୨୮ ବଲରେ ୬୧ ରନ ଓ ତଳିକ ବର୍ମାଙ୍କ ୨୨ ବଲରେ ଅପରାଜିତ ୫୧ ରନ ଯୋଗୁ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୨୧୧ ରନର ବିଶାଳ ସ୍କୋର କରିଥିଲା। ଏହାର ଜବାବରେ ପାକିସ୍ତାନ ୬ ୱିକେଟ ହରାଇ ୧୯୬ ରନରେ ଅଟକି ଯାଇଥିଲା ।
ଦୁଇ ଦୁଇଟି ଜୀବନ ଦାନ ପାଇଥିବା ହାସନ ନୱାଜ ପାକିସ୍ତାନ ପାଇଁ ୫୧ ବଲରେ ୯୬ ରନ ସଂଗ୍ରହ କରିଥିଲେ । ସେ ୪ ରନ କରିଥିବା ବେଳେ ପ୍ରଥମେ ବୈଭବ ସୂର୍ଯ୍ୟବଂଶୀ ଓ ୫୯ ରନ କରିଥିବା ବେଳେ ୱାଶିଂଟନ ସୁନ୍ଦର ତାଙ୍କ କ୍ୟାଚ୍ ଛାଡ଼ି ଦେଇଥିଲେ। ସେ ଶେଷ ଯାଏ ଲଢ଼େଇ କରିଥିଲେ ହେଁ ଦଳକୁ ବିଜୟୀ କରି ପାରିନଥିଲେ ।
୨୧୨ ରନକୁ ପିଛା କରିବାକୁ ଓହ୍ଲାଇଥିବା ପାକିସ୍ତାନ ବିପକ୍ଷରେ ଭାରତକୁ ପ୍ରଥମ ସଫଳତା ଦେଇଥିଲେ ୱାଶିଂଟନ ସୁନ୍ଦର। ସେ ୧୧ ବଲରେ ୧୦ ରନ କରିଥିବା ଫରହାନଙ୍କୁ ଆଉଟ କରିଥିଲେ। ସଦାକତ କିଛି ଶଟ ମାରିଥିଲେ ହେଁ ୧୮ ବଲରେ ୨୩ ରନ କରି ଅକ୍ଷର ପଟେଲଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ଏହା ପୂର୍ବରୁ ଉସମାନ ଖାନ(୩) ମଧ୍ୟ ଅକ୍ଷରଙ୍କ ଶିକାର ବନିଥିଲେ। ପାୱର ପ୍ଲେର ୬ ଓଭରରେ ପାକିସ୍ତାନ ୩ ୱିକେଟ ହରାଇ କେବଳ ୩୯ ରନ କରିଥିଲା। ଯେତେ ବେଳେ କି ସମାନ ସମୟରେ ଭାରତ ୮୨ ରନରେ କେବଳ ୨ଟି ୱିକେଟ ହରାଇଥିଲା। ଭାରତୀୟ ଦଳର ଏହି ସ୍ୱର୍ଣ୍ଣିମ ସଫଳତା ପାଇଁ ଦଳକୁ ବିଭିନ୍ନ ମହଲରୁ ଶୁଭେଚ୍ଚା ପ୍ରଦାନ କରାଯାଇଛି ।



















