ଓଡ଼ିଶା ଲିଡ୍ସ(ଦଶରଥପୁର):ଦଶରଥପୁର ବ୍ଲକ ବନ୍ୟାଞ୍ଚଳରେ ଆଜି ବନ୍ୟା ପାଣିରେ ବୁଡି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି । ଜଣେ ଶୌଚ ହେବାକୁ ଯାଇ ନଦୀରେ ଭାସି ଯାଇଥିବା ବେଳେ ଅନ୍ୟ ଜଣେ ବନ୍ୟା ପାଣିରେ ବୁଡ଼ିଥିବା ଗାଁ ରାସ୍ତାରେ ଯାଉଥିବା ସମୟରେ ଭାସି ନିଖୋଜ ହୋଇ ଯାଇଥିଲେ। ଗ୍ରାମବାସୀଙ୍କ ଠାରୁ ଖବର ପାଇ ଅଗ୍ନିଶମ ଓ ଓଡ୍ରାଫ ବାହିନୀର ଖୋଜାଖୋଜି ପରେ ନିଖୋଜଙ୍କ ମଧ୍ୟରୁ ଜଣେ ମହିଳାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣଙ୍କ ପତ୍ତା ମିଳିନଥିବା ଜଣାଯାଇଛି। ଉଦ୍ଧାର ହୋଇଥିବା ମହିଳା ମଙ୍ଗଳପୁର ଥାନା କଁୟା ଅଞ୍ଚଳର ମମତା ମହାକୁଢ଼ (୪୨)ବୋଲି ଜଣାଯାଇଛି। ମମତା ଆଜି ଦିନ ପ୍ରାୟ ସାଢେ ୪ଟା ସମୟରେ ବନ୍ୟା ପାଣିରେ ବୁଡ଼ିଥିବା କଁୟା ପଞ୍ଚାୟତ ଲକ୍ଷ୍ମୀପୁର ଗାଁ ରାସ୍ତାରେ ଯାଉଥିବା ବେଳେ ଗୋଡ଼ ଖସି ଯିବାରୁ ରାସ୍ତା କଡ଼କୁ ଖସି ପାଣିରେ ଭାସି ଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ସ୍ଥାନୀୟ ଲୋକ ଏବଂ ଓଡ୍ରାଫ ଓ ଦଶରଥପୁର ଅଗ୍ନିଶମ ବାହିନୀ ମିଳିତ ଭାବେ ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ପ୍ରାୟ ୨ଘଣ୍ଟା ପରେ ମମତାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସେହିପରି କସପା ପଞ୍ଚାୟତ ଅହିୟାସ ପୁରୁଣାସାହି ଅଞ୍ଚଳର ଗୋବର୍ଦ୍ଧନ ରାଉତ (୫୨) ଆଜି ମଧ୍ୟାହ୍ନରେ କାଣୀ ନଦୀ କୂଳରେ ଶୌଚ ହେବାକୁ ଯାଇଥିବା ବେଳେ ବନ୍ୟା ପାଣିର ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ତୁରନ୍ତ ତାଙ୍କୁ ଠାବ କରିବାକୁ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧ୍ୟା ପର୍ଯ୍ୟନ୍ତ ଗୋବର୍ଦ୍ଧନଙ୍କ କୌଣସି ପତ୍ତା ମିଳିନାହିଁ ।



















