ଓଡ଼ିଶା ଲିଡ୍ସ(ବରୀ): ବରୀ ବ୍ଲକର ବିଭିନ୍ନ ସ୍ଥାନର ପୂଜା ମଣ୍ଡପରେ ଅଗ୍ରପୂଜ୍ୟ ବିଘ୍ନ ବିନାଶକ ପ୍ରଭୁ ଗଜାନନଙ୍କ ପୂଜା ମହା ଆଡ଼ମ୍ବରରେ ଆରମ୍ଭ ହୋଇଛି । ପ୍ରସିଦ୍ଧ ନେଉଳା ଗଣେଶ ପୂଜା କମିଟିର ଗଣେଶ ପୂଜା ମହା ସମାରୋହରେ ପାଳିତ ହେଉଛି । ପୂଜା ମଣ୍ଡପକୁ ଆକର୍ଷଣୀୟ ଭାବେ ସାଜସଜ୍ଜା କରା ଯାଇଥିଲା ବେଳେ ରୀତିନୀତି ଅନୁଯାୟୀ ଗଣପତିଙ୍କ ପୂଜାପାଠ କରାଯାଇଛି। ପୂଜା ମଣ୍ଡପ ସହିତ ବରୀ କୁଆଖିଆ ରାସ୍ତାରେ ନିର୍ମାଣ ହୋଇଥିବା ଆକର୍ଷଣୀୟ ତୋରଣ ମଧ୍ୟ ଦର୍ଶକମାନଙ୍କୁ ଆକର୍ଷିତ କରୁଛି । ସନ୍ଧ୍ୟାରେ ଗଣପତିଙ୍କ ଦର୍ଶନ ନିମନ୍ତେ ବରୀ ଅଞ୍ଚଳର ଅନ୍ୟ ମଣ୍ଡପ ଗୁଡିକରେ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଜମିଥିବାର ଦେଖିବାକୁ ମିଳିଛି। ସେହିପରି ବରୀ ମାଉଣ୍ଡ ତଲବଜାରର ବିନଦାସ ପୂଜା କମିଟି ପକ୍ଷରୁ ମଧ୍ୟ ପୂଜା ମଣ୍ଡପକୁ ସୁସଜ୍ଜିତ କରାଯିବା ସହିତ ବଜାରକୁ ଆଲୋକମୟ କରାଯାଇଛି । ଏହା ସହିତ ରମ୍ପା, ଆନନ୍ଦପୁର, ଅରଙ୍ଗାବାଦ, ଠାକୁରପାଟଣାର ଚର୍ଚ୍ଚିତ ସୁନା ଗଣେଶ, ବାଲିବିଲି, ଅଲିପୁର, କାଇପଡା, ଚନ୍ଦନପୁର, ରତ୍ନଗିରି, ବାଲିଆ, ସ୍ବାଇଁଖଣ୍ଡ, ହରିପୁର, ଗୋଳକୁଣ୍ଡ, ଇଶାନପୁର, ଗମ୍ମୁ, କିମ୍ଭିରିଆପାଳ ଓ ବାଇଁଶୀରିଆ ପ୍ରଭୁତି ଅଞ୍ଚଳରେ ବିଘ୍ନ ବିନାଶକ ପ୍ରଭୂ ଗଜାନନ ପୂଜା ପାଉଛନ୍ତି। ସେହିପରି ସରକାରୀ ଓ ବେସରକାରୀ ଅନୁଷ୍ଠାନ, ସ୍କୁଲ କଲେଜ ମାନଙ୍କରେ ଛାତ୍ରଛାତ୍ରୀ ମାନେ ଆନନ୍ଦ ଉଲ୍ଲାସର ସହିତ ଅଗ୍ରପୂଜ୍ୟଙ୍କୁ ଆରାଧନା କରିଛନ୍ତି । ଗଣପତିଙ୍କ ପୂଜା ପାଇଁ ବରୀ ଉତ୍ସବ ମୁଖର ହୋଇ ପଡିଛି ।




















