ଓଡ଼ିଶା ଲିଡ୍ସ(ଯାଜପୁର): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଶ୍ରୀ ଗୁରୁ ଆଶ୍ରମ ପରିସରରେ ସ୍ବାମୀ ଶ୍ରୀ ଶ୍ରୀ ମୌନାନନ୍ଦ ସରସ୍ଵତୀ ମହାରାଜାଙ୍କ ଏକାଦଶ ତମ ବ୍ରହ୍ମଲିନ ବାର୍ଷିକ ମହୋତ୍ସଵ ଆୟୋଜିତ ହୋଇ ଯାଇଛି । ବରିଷ୍ଠ ସାମ୍ବାଦିକ ବେଣୁଧର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବରିଷ୍ଠ ରାଜନେତା ଅମର ପ୍ରସାଦ ଶତପଥୀ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ ବିଜୟ ଶତପଥି, ବିଶିଷ୍ଟ ବ୍ୟବସାୟୀ କମଲେଶ ଜେନ୍, ବଡ଼ଚଣା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ବିଭାଷ ନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ଉକ୍ତ ଆଧ୍ୟାତ୍ମିକ ସଭାରେ ଅମର ପ୍ରସାଦ ଶତପଥୀ ନିଜ ବକ୍ତବ୍ୟରେ କହିଥିଲେ ସାରସ୍ଵତ ସନାତନ ଧର୍ମର ରକ୍ଷକ, ପ୍ରଚାରକ ସାଧୁ ସନ୍ଥମାନଙ୍କ ତ୍ୟାଗ ପୂର୍ଣ୍ଣ ଯୋଗଦାନ ସନାତନ ଧର୍ମକୁ ଆଜି ବଳିଷ୍ଠ କରିଛି । ମହାନ ସନ୍ନ୍ୟାସୀ ମୌନାନନ୍ଦ ମହାରାଜଙ୍କ ଜୀବନି ବିଷୟରେ କହିବା ସହିତ ସଦ୍ଭାବନା, ଭାଇଚାରା ମଧ୍ୟରେ ବଞ୍ଚିବା ପାଇଁ ସେ ଆହ୍ୱାନ ଦେଇଥିଲେ । ଏହି ସଭାରେ ସ୍ଥାନୀୟ ଅଞ୍ଚଳର ଶତାଧିକ ବୁଦ୍ଧିଜୀବି ଓ ଜନସାଧାରଣ ଯୋଗଦାନ କରିଥିଲେ ।



















