ଓଡ଼ିଶା ଲିଡ୍ସ(ବ୍ୟୁରୋ): ସାରା ରାଜ୍ୟରେ ଆରମ୍ଭ ହୋଇଛି ବିଦ୍ୟା ଆରମ୍ଭ ପର୍ବ । ପ୍ରତି ଗାଁରେ, ପ୍ରତି ସହରରେ ବିଦ୍ୟା ଆରମ୍ଭକୁ ଉତ୍ସବ ଭାବେ ପାଳନ କରାଯାଉଛି। ଏହାଦ୍ୱାରା ପିଲାଙ୍କ ନାମଲେଖା ପାଇଁ ବାପା ମା’ମାନେ ଉତ୍ସାହିତ ହେଉଛନ୍ତି ବୋଲି ରାଜ୍ୟସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ-୨୦୨୬ ଅବସରରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘ନିପୁଣ ଓଡ଼ିଶା’ ଓ ‘ପଢ଼ିବା, ଗଢ଼ିବା ଓଡ଼ିଶା’ ଅଭିଯାନରେ ବିଭିନ୍ନ ବିଦ୍ୟାଳୟମାନଙ୍କରେ ପିଲାଙ୍କ ପାଇଁ ବିକଶିତ କରାଯାଇଥିବା ବିଷୟବସ୍ତୁ ଆଧାରିତ ଶିକ୍ଷଣୀୟ ସାମଗ୍ରୀ ପ୍ରଦର୍ଶନୀକୁ ମଧ୍ୟ ପରିଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ଶିକ୍ଷା ସହାୟତା ସାମଗ୍ରୀ ମଧ୍ୟ ପ୍ରଦାନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଖଡ଼ି ଛୁଆଁ ଆମ ଓଡ଼ିଆ ସଂସ୍କୃତିରେ ଏକ ପବିତ୍ର ପରମ୍ପରା। ରାଜ୍ୟରେ କୌଣସି ବି ଶିଶୁ ଯେପରି ଶିକ୍ଷାରୁ ବଞ୍ଚିତ ନହୁଅନ୍ତି, ତାକୁ ସୁନିଶ୍ଚିତ କରିବା ପାଇଁ ଆମେ ଏହି ଉତ୍ସବ ଆରମ୍ଭ କରିଛୁ। ଶିଶୁର ମନରେ ଶିକ୍ଷାପ୍ରତି ଭୟ ବଦଳରେ, ଆଗ୍ରହ ଓ ଶ୍ରଦ୍ଧା ସୃଷ୍ଟି କରିବାକୁ ସମସ୍ତ ପଦକ୍ଷେପ ନିଆଯାଉଛି। ରାଜ୍ୟରେ ପ୍ରତିଶତ ନାମଲେଖା ଲକ୍ଷ ରଖାଯାଇଛି। ନୂତନ ଶିକ୍ଷାନୀତି ଅନୁଯାୟୀ ଅଙ୍ଗନବାଡିଗୁଡ଼ିକ ପର୍ଯ୍ୟାୟକ୍ରମେ ଶିଶୁବାଟିକାରେ ମିଶିବ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଏହି ଅବସରରେ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ ମଧ୍ୟ କରିଛନ୍ତି।




















