ଓଡ଼ିଶା ଲିଡ୍ସ(ଦଶରଥପୁର): ବନ୍ୟା ବିପନ୍ନଙ୍କ ସହାୟତା ପାଇଁ ଆସିଥିବା ରିଲିଫ ସାମଗ୍ରୀ ବୋଝେଇ ଟ୍ରକରୁ ଚୋରି ହୋଇଥିବା ନେଇ ଦଶରଥପୁର ଥାନା ସହିତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଆଜି ଦଶରଥପୁର ବ୍ଲକ ଜନଶୁଣାଣୀ ଶିବିରରେ ଦଶରଥପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଦିଗାମ୍ବର ମଲ୍ଲିକ ଦଶରଥପୁର ଥାନାରେ ଏନେଇ ଅଭିଯୋଗ କରିବା ପରେ ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ନିକଟରେ ଅଭିଯୋଗ କରି ଘଟଣାର ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।
ଅଭିଯୋଗ ଅନୁଯାୟୀ ଦଶରଥପୁର ବ୍ଲକ ଅଞ୍ଚଳବାସୀ ଦୀର୍ଘଦିନ ଧରି ବନ୍ୟାରେ ପ୍ରଭାବିତ ହୋଇ ଦୁର୍ଦ୍ଦଶା ଭୋଗ କହୁଛନ୍ତି। ବିପନ୍ନଙ୍କ ନିମନ୍ତେ ବିଭିନ୍ନ ସଂସ୍ଥା ପକ୍ଷରୁ ରିଲିଫ ସାମଗ୍ରୀ ଦଶରଥପୁର ବନ୍ୟା ପ୍ଲାବିତ ପଞ୍ଚାୟତ ମାନଙ୍କରେ ବଣ୍ଟା ଯାଉଛି। ଏହି କ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ରିଲିଫ ସହାୟତା ପାଣ୍ଠିର ନାମ ଓ ଦେଶର ପ୍ରଧାନମନ୍ତ୍ରୀ ଏବଂ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା କିଛି ରିଲିଫ ବୋଝେଇ ଟ୍ରକ୍ ଦଶରଥପୁର ବ୍ଲକ ଅଭିମୁଖେ ଆସିଥିବା ଦେଖାଯାଇଥିଲା।
ତେବେ ଟ୍ରକ୍ଗୁଡ଼ିକ ବ୍ଲକର କୌଣସି ସରକାରୀ ସ୍ଥାନରେ ଆଜି ସୁଦ୍ଧା ପହଞ୍ଚିନଥିବା ଅଭିଯୋଗ ହୋଇଛି। ଫଳରେ ବନ୍ୟା ବିପନ୍ନଙ୍କ ପାଇଁ ଆସିଥିବା ରିଲିଫ ସାମଗ୍ରୀ କେଉଁଠାକୁ ଗଲା ଏବଂ ଏହି ସାମଗ୍ରୀ ହଡ଼ପ ପଛରେ କାହାର ହାତ ଅଛି,ତାକୁ ନେଇ ପ୍ରଶ୍ନ ଉଠିଛି।
ଅଭିଯୋଗକାରୀ ଶ୍ରୀ ମଲ୍ଲିକ ରିଲିଫ ସାମଗ୍ରୀର ଗତିପଥ ଓ ଟ୍ରକ୍ଗୁଡ଼ିକର ଅବସ୍ଥିତି ସମ୍ପର୍କରେ ତୁରନ୍ତ ତଦନ୍ତ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ରିଲିଫ୍ ପାଣ୍ଠିର ସାମଗ୍ରୀ ଉଦ୍ଧାର କରି ବନ୍ୟା ବିପନ୍ନଙ୍କ ନିକଟରେ ପହଞ୍ଚାଇ ସୁଚାରୁରୂପେ ଏହାର ବଣ୍ଟନ ପାଇଁ ଦାବି କରିଛନ୍ତି। ଏ ନେଇ ୨୦ଟି ପଞ୍ଚାୟତର ସରପଞ୍ଚ ଓ ଜିଲ୍ଲା ପରିଷଦର ସଭ୍ୟ/ସଭ୍ୟା ମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ।




















