ଓଡ଼ିଶା ଲିଡ୍ସ(ବ୍ରହ୍ମଗିରି): ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଏସ.ଓ.ଏସ୍.ସି. ପରୀକ୍ଷା-୨୦୨୬ (ଦ୍ୱିତୀୟ)ର ପରିଚାଳନାରେ ବ୍ୟାପକ ଅନିୟମିତତା ନେଇ ଏବେ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି। ପରୀକ୍ଷା କେନ୍ଦ୍ର ଭିତରେ ସ୍ୱଚ୍ଛତା ଓ ଶୃଙ୍ଖଳାକୁ ଜଳାଞ୍ଜଳି ଦିଆଯାଇ ମୋଟା ଅଙ୍କର ଟଙ୍କା ବିନିମୟରେ ପରୀକ୍ଷାର୍ଥୀଙ୍କୁ ପାସ୍ କରାଯାଉଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ପରୀକ୍ଷା କେନ୍ଦ୍ର ଚିଲିକା ନୋଡାଲ୍ ହାଇସ୍କୁଲ, ମାଲୁଦ ନୋଡାଲ୍ ହାଇସ୍କୁଲ ପରୀକ୍ଷା ହଲ୍ ଭିତରେ କଡ଼ା କଟକଣା ରହିବା କଥା, କିନ୍ତୁ କିଛି ଅସାଧୁ କର୍ମଚାରୀଙ୍କ ଯୋଗୁଁ ଏଠାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଟଙ୍କା ବଦଳରେ କିଛି ପରୀକ୍ଷାର୍ଥୀଙ୍କ ପ୍ରତି ଶିକ୍ଷକ ଓ କର୍ମଚାରୀ ଅହେତୁକ ଅନୁକମ୍ପା ଦେଖାଇଥିଲା ବେଳେ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ମୟ ହୋଇଥିବା ଅଭିଯୋଗ ହୋଇଛି । ଯେଉଁ ପିଲାମାନେ କଠିନ ପରିଶ୍ରମ କରି ପରୀକ୍ଷା ପାଇଁ ପ୍ରସ୍ତୁତି କରିଛନ୍ତି, ଏଭଳି ଦୁର୍ନୀତି ଯୋଗୁଁ ସେମାନେ ନିରାଶ ହେଉଛନ୍ତି ଏବଂ ପରୀକ୍ଷା ବ୍ୟବସ୍ଥା ଉପରୁ ଯୁବ ପୀଢ଼ିଙ୍କ ଭରସା ତୁଟି ଯାଉଛି । ବୋର୍ଡ଼ ପକ୍ଷରୁ ସ୍ୱଚ୍ଛ ପରୀକ୍ଷା ହେଉଥିବା ନେଇ ଦାବି କରାଯାଉଥିଲେ ମଧ୍ୟ ଗ୍ରାଉଣ୍ଡ ଜିରୋରେ ଏହାର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା ରହିଛି ।
ମାଧ୍ୟମିକ ଶିକ୍ଷା ପରିଷଦ ଏବଂ ଜିଲ୍ଲା ପ୍ରଶାସନ ତୁରନ୍ତ ଆଳୁପାଟଣା ପରୀକ୍ଷା କେନ୍ଦ୍ର ଏବଂ ମାଲୁଦ ସ୍କୁଲର ପରିଚାଳନା ଦାୟିତ୍ୱରେ ଥିବା ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ଭୂମିକାକୁ ତଦନ୍ତ ପରିସରଭୁକ୍ତ କରିବାକୁ ସାଧାରଣରେ ଦାବି ହୋଇଛି ।




















