ଓଡ଼ିଶା ଲିଡ୍ସ(ଯାଜପୁର): ବରୀ ବ୍ଲକର ପ୍ରମୁଖ ପଞ୍ଚାୟତ ବରୀ ଚିନ୍ତାସାହିରେ ଜଣେ ବ୍ୟକ୍ତି ଚିକିତ୍ସା ଅଭାବରୁ ମୃତ୍ୟୁ ମୁଖରେ ପଡିବା ଓ ତାଙ୍କ ଶବ ଦୀର୍ଘ ସମୟ ଧରି ଛାତ ଉପରେ ପଡି ରହିବା ଭଳି ଅଭାବନୀୟ ଘଟଣା ଘଟିଛି । ମୃତ ବ୍ୟକ୍ତି ଜଣକ ହେଲେ ହୃଷୀକେଶ ମଲ୍ଲିକ(୬୦) । ଗତକାଲି(ବୁଧବାର) ଅପରାହ୍ନ ୪ଟା ବେଳେ ତାଙ୍କ ମୃତ୍ୟୁ ହୋଇଥିଲା । ଘରେ ପାଣି ପଶିବାରୁ ପରିବାର ଲୋକେ ଘର ଛାତ ଉପରେ ଆଶ୍ରୟ ନେଇଥିଲେ । ସେଠାରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ । ବେଶି ପାଣି ଯୋଗୁ ତାଙ୍କୁ ଚିକିତ୍ସାଳୟ ନେଇ ପାରି ନଥିଲେ ପରିବାର ଲୋକ । ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଘର ଉପରେ ଥିବା ଶବ ନେବାର ବ୍ୟବସ୍ଥା କରିବାକୁ ମୃତକଙ୍କ ପରିବାର ସଦସ୍ୟ ବରୀ ବିଡ଼ିଓଙ୍କୁ ବାରମ୍ବାର ଫୋନ କରିଥିଲେ ବି ସେ ଫୋନ ଉଠାଇ ନଥିବା ଅଭିଯୋଗ କରିଛନ୍ତି ତାଙ୍କ ପୁତୁରା । ଉଦ୍ଧାର ପାଇଁ ଥିବା ବୋଟ ମଧ୍ୟ ଆସିନଥିଲା । ବୋଟ ଚାଳକ କହିଥିଲେ ଆମକୁ ନିର୍ଦ୍ଦେଶ ନହେଲେ ଆମେ ଯିବୁନାହିଁ । ଫଳରେ ଶବ ବୁଧବାର ଦିନ ୪ ଟାରୁ ଗୁରୁବାର ଦିନ ୧୦ ଟା ପର୍ଯ୍ୟନ୍ତ ଛାତ ଉପରେ ପଡି ରହିଥିଲା । ସାହିର ଚତୁର୍ଦିଗରେ ବନ୍ୟା ପାଣି ମାଡ଼ି ଯାଇଥିବାରୁ ଶବ ସଂସ୍କାର କରିବା ବି ସମ୍ଭବ ନଥିଲା । ଏହି ସମୟରେ ସାହାଯ୍ୟର ହାତ ବଢ଼ାଇଥିଲେ ବରିଷ୍ଠ ରାଜନେତା ସେକ ସଫିକୁଦ୍ଦିନ । ଯାଜପୁରରେ ଶବ ସଂସ୍କାର ପାଇଁ ନିଜେ ଏକ ସ୍ୱର୍ଗରଥ ଯୋଗାଡ଼ କରିଥିଲେ, ଏହା ସହିତ ପରିବାର ଲୋକ ଯିବା ପାଇଁ ଅନ୍ୟ ଏକ ଗାଡି ମଧ୍ୟ ଯୋଗାଇ ଦେଇଥିଲେ ।

ଦିନ ୧୦ ଟା ପରେ ଗ୍ରାମବାସୀ ଓ ପରିବାର ଲୋକେ ଅଣ୍ଟାଏ, ଛାତିଏ ପାଣିରେ ପଶି ଶବକୁ ମୁଖ୍ୟ ରାସ୍ତାକୁ ଆଣି ସତ୍କାର ପାଇଁ ଯାଜପୁର ନେଇଥିଲେ । ଏହି ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଥିଲା ବେଳେ ସଫିକ ଉଦ୍ଦିନଙ୍କ ଏହି ମହତ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।




















