ଓଡ଼ିଶା ଲିଡ୍ସ(ବ୍ୟୁରୋ): ଦିନେ ଜେନ-ଜି ମାନଙ୍କୁ ଅଣଦେଖା କରୁଥିବା କେନ୍ଦ୍ର ସରକାରଙ୍କ ଫୋକସ୍ରେ ଏବେ ଜେନ୍-ଜି। ପ୍ରଧାନମନ୍ତ୍ରୀଙ୍କ ଠାରୁ ନେଇ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ପର୍ଯ୍ୟନ୍ତ ସମସ୍ତେ କିଭଳି ଜେନ-ଜି ମାନଙ୍କୁ ସନ୍ତୁଷ୍ଟ କରାଯିବ ତାକୁ ନେଇ ଚିନ୍ତିତ । ଫଳ ସ୍ୱରୂପ କେନ୍ଦ୍ର ସରକାର ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଯୋଗାଯୋଗ ପାଇଁ ‘ୱାନ ଡେ, ୱାନ ୟୁନିଭରସିଟି’ ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନ ଦ୍ୱାରା ପ୍ରତିଦିନ ଜଣେ କେନ୍ଦ୍ର ମନ୍ତ୍ରୀ ଦେଶର କୌଣସି ନା କୌଣସି ବିଶ୍ୱବିଦ୍ୟାଳୟ ଗସ୍ତ କରିବେ । ଦେଶର ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ସଂଯୋଗ ପାଇଁ ଏହି ଅଭିଯାନ ଆରମ୍ଭ ହେବାକୁ ଯାଉଛି । ଦେଶର ଯୁବପୀଢ଼ି ଓ ବିଶେଷକରି ଜେନ-ଜି ବର୍ଗର ଛାତ୍ରଛାତ୍ରୀଙ୍କ ସମସ୍ୟା ବୁଝିବା ଏବଂ ସେମାନଙ୍କ ସହ ସିଧାସଳଖ ଯୋଗାଯୋଗ ସ୍ଥାପନ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏହି ଭଳି ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ କେନ୍ଦ୍ରୀୟ ମନ୍ତ୍ରୀମାନେ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ଗସ୍ତ କରିବେ ଏବଂ ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିବେ । ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ହେଉଛି ଛାତ୍ରଛାତ୍ରୀଙ୍କ ମନରେ ଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ରଖିବା ସହିତ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାକୁ ସିଧାସଳଖ ଶୁଣିବା ଓ ସେମାନଙ୍କ ସହିତ ଆଲୋଚନା କରିବା । ଏହି ଅବସରରେ ମନ୍ତ୍ରୀମାନେ ଶିକ୍ଷା, ନିଯୁକ୍ତି ଏବଂ ଯୁବ ବିକାଶ ସହ ଜଡିତ ସରକାରୀ ଯୋଜନାଗୁଡିକ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଅବଗତ କରାଇବେ । ସାମ୍ପ୍ରତିକ ସମୟରେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା, ନିଯୁକ୍ତି ସମ୍ବନ୍ଧୀୟ ଆଶଙ୍କା ଏବଂ ଶିକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତାକୁ ନେଇ ଯୁବବର୍ଗଙ୍କ ମଧ୍ୟରେ ଯେଉଁ ଉଦବେଗ ଦେଖାଦେଇଛି, ତାହାର ସମାଧାନ ଦିଗରେ ଏହି କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇପାରିବ ବୋଲି ଆଶା କରାଯାଉଛି । ଆଜିର ଯୁବପିଢ଼ି ନିଜର ଭବିଷ୍ୟତ, ଶିକ୍ଷା ଓ ଚାକିରିକୁ ନେଇ ଅଧିକ ଚିନ୍ତିତ ହୋଇ ପଡ଼ିଥିଲା ବେଳେ କେନ୍ଦ୍ର ବିରୁଦ୍ଧରେ ନିକଟରେ ବଡ଼ ଆନ୍ଦୋଳନ ଡାକରା ଦେଇଥିଲେ ।




















