ଓଡ଼ିଶା ଲିଡ୍ସ(ବ୍ୟୁରୋ):ନିଲମ୍ବିତ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ଶବ୍ଦ ବାଣ ବିଜେଡିକୁ ଅସ୍ତବ୍ୟସ୍ତ କରୁଥିଲା ବେଳେ ଶ୍ରୀମୟୀ କିନ୍ତୁ ନିଜ ଶବ୍ଦ ବାଣ ମାରିବାରେ ଆଦୌ ହେଳା କରୁ ନାହାନ୍ତି । କେତେବେଳେ ଧୃତରାଷ୍ଟ୍ର, ଆଉ କେତେବେଳେ ଭଣ୍ଡ ସନ୍ୟାସୀ ଓ ଆଉ କେତେବେଳେ ଭୈରବ କହି କଟାକ୍ଷ କରୁଥିବା ଶ୍ରୀମୟୀ ନିଜ ଫେସବୁକରେ ଆଜି ପୁଣି ‘ଅନାମ ବାବୁ’ କହି ବିଜେଡିକୁ ଟାର୍ଗେଟ୍ କରିଛନ୍ତି। ହେଲେ ଶ୍ରୀମୟୀଙ୍କ ଅନାମ ବାବୁ କିଏ ତାଙ୍କ ଝିଅ କିଏ ଓ ଜ୍ୱାଇଁ କିଏ ତାକୁ ନେଇ ଏବେ ଚର୍ଚ୍ଚା ସୃଷ୍ଟି ହୋଇଛି । ନିଜ ଫେସବୁକରେ ‘ଅଷ୍ଟମଙ୍ଗଳା ପରେ ଜ୍ବାଇଁ ନିଜ ଘରକୁ ଫେରିଲାନି’ ବୋଲି ଲେଖିଛନ୍ତି । କାହାର ନାଁ ନେଉ ନଥିଲେ ବି କିଛି ଦିନ ଧରି ବିଜେଡି, ନବୀନ ଏବଂ ପାଣ୍ଡିଆନଙ୍କୁ ସେ ଟାର୍ଗେଟ କରୁଥିବା ନେଇ ଚର୍ଚ୍ଚା ହେଉଛି । ଏବେ ନୂଆ ଢଙ୍ଗରେ ପୁଣି କରିଛନ୍ତି ଟାର୍ଗେଟ କରିଛନ୍ତି ଶ୍ରୀମୟୀ। ଅନାମ ବାବୁଙ୍କ ନାଁ ନେଇ ବେଶ ଚତୁରତାର ସହିତ ଫେସବୁକରେ ପୋଷ୍ଟ କରିଛନ୍ତି ଶ୍ରୀମୟୀ ।
ଶ୍ରୀମୟୀ ଲେଖିଛନ୍ତି ଅନାମ ବାବୁ ଜଣେ ଉଚ୍ଚଶିକ୍ଷିତ ଓ ସମ୍ଭ୍ରାନ୍ତ ବ୍ୟକ୍ତି ଥିଲେ। ଗାଁ ମନ୍ଦିର ପାଖରେ ତାଙ୍କ ସୁନ୍ଦର ନିବାସ ଥିଲା। ଝିଅ ବିବାହ ପରେ ଜ୍ବାଇଁ ନିଜ ଘରକୁ ଫେରିନଥିଲା। ଅଷ୍ଟମଙ୍ଗଳା ପରେ ଜ୍ବାଇଁ ନିଜ ଘରକୁ ନଯାଇ ଶ୍ବଶୁର ଘରେ ରହିଲା। ଘର ଜ୍ବାଇଁ ହୋଇ ଶ୍ବଶୁରର ସମ୍ପତ୍ତି ଓ କାର୍ଯ୍ୟକୁ ନିୟନ୍ତ୍ରଣକୁ ନେଇଗଲା। ପରେ ପରେ ଅନାମ ବାବୁ ଜ୍ବାଇଁଙ୍କୁ ଦାୟିତ୍ବ ହସ୍ତାନ୍ତର କରି ତୀର୍ଥକୁ ପଳାଇଲେ। ଶ୍ବଶୁର ଘରେ ଜ୍ବାଇଁ ରହି ଅନାମ ବାବୁଙ୍କ ଇଜ୍ଜତ ଓ ସମ୍ମାନ ଧୂଳିସାତ କରିଦେଲେ।




















