ଓଡ଼ିଶା ଲିଡ୍ସ(ବ୍ରହ୍ମଗିରି): ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ବ୍ରହ୍ମପୁର ନିକଟବର୍ତ୍ତୀ ଚିଲିକା ହ୍ରଦର ଅନନ୍ତ ଜଳରାଶି ମଧ୍ୟରେ ଅବସ୍ଥିତ ଏକ ପବିତ୍ର ଓ ରହସ୍ୟମୟ ସ୍ଥାନ ହେଉଛି ସାଗର ଶ୍ରୀକ୍ଷେତ୍ର ଚକନାସୀ । କୁହାଯାଏ, ଏଠାରେ ପ୍ରଭୁ ଜଗନ୍ନାଥଙ୍କ ନିଜସ୍ୱ ଗୁପ୍ତଲୀଳା ରହିଛି । ସାଧାରଣ ଲୋକଙ୍କ ଦୃଷ୍ଟିରୁ ଦୂରରେ ଥିବା ଏହି ପୀଠଟି ଆଜି ମଧ୍ୟ ଅନେକ ଭକ୍ତଙ୍କ ପାଇଁ ଶ୍ରଦ୍ଧା ଓ ବିଶ୍ୱାସର କେନ୍ଦ୍ରସ୍ଥଳ ହୋଇ ରହିଛି । ଏହି ପୀଠର ସବୁଠାରୁ ବଡ଼ ବିଶେଷତ୍ୱ ହେଲା ଏଠାରେ ନବଗ୍ରହଙ୍କର ସ୍ଥିତି । ପ୍ରାଚୀନ ମାନ୍ୟତା ଅନୁସାରେ, ଏହା କେବଳ ଏକ ଦ୍ୱୀପ ନୁହେଁ, ବରଂ ଏକ ସିଦ୍ଧ ପୀଠ । ଚତୁର୍ଦ୍ଦିଗ ନୀଳ ଜଳ ରାଶିରେ ଘେରା ହୋଇ ରହିଥିବାରୁ ଏଠାକାର ବାତାବରଣ ଅତ୍ୟନ୍ତ ଶାନ୍ତ ଓ ଆଧ୍ୟାତ୍ମିକ ଶକ୍ତିରେ ପରିପୂର୍ଣ୍ଣ । ସାଧକମାନଙ୍କ ମତରେ, ଏଠାରେ ପ୍ରଭୁ ନିଜର ଗୁପ୍ତଲୀଳା ସମ୍ପାଦନ କରନ୍ତି । ଯେଉଁଥିପାଇଁ ଏହାକୁ ‘ସାଗର ଶ୍ରୀକ୍ଷେତ୍ର’ ବୋଲି କୁହାଯାଏ। ତେବେ ଏତେ ପବିତ୍ର ଓ ଐତିହାସିକ ସ୍ଥାନ ହୋଇଥିଲେ ମଧ୍ୟ, ଏଠାରେ ପହଞ୍ଚିବା ବର୍ତ୍ତମାନ ସମୟରେ ବେଶ ଆହ୍ୱାନ ଭରା ହୋଇ ରହିଛି । ଚିଲିକା ମଧ୍ୟରେ ଥିବାରୁ ଡଙ୍ଗା ଚଳାଚଳ ସମୟରେ ସୁରକ୍ଷା ନିୟମ ପାଳନ କରିବା ନିହାତି ଆବଶ୍ୟକ । ସ୍ଥାନୀୟ ବାସିନ୍ଦାଙ୍କ ଦାବି ଅନୁଯାୟୀ ପ୍ରଶାସନିକ ସ୍ତରରେ ଏହି ପୀଠର ସୁରକ୍ଷା ସହିତ ଯାତ୍ରୀଙ୍କ ପାଇଁ ସୁବିଧାଜନକ ଯାତାୟାତ ବ୍ୟବସ୍ଥା ହେବା ଜରୁରୀ । ଏ ନେଇ ଉଚ୍ଚ ସ୍ତରରେ ଆଲୋଚନା ହେବା ଉଚିତ୍ । ଏଭଳି ଏକ ଅମୂଲ୍ୟ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ କରିବା ଏବଂ ଏହାର ସୌନ୍ଦର୍ଯ୍ୟକୁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି । ସ୍ଥାନୀୟ ଲୋକଙ୍କ ଆସ୍ଥାକୁ ସମ୍ମାନ ଜଣାଇ, ଏହି ପୀଠର ବିକାଶ ଦିଗରେ ପ୍ରଶାସନ ଦୃଷ୍ଟି ଦେଲେ କୃଷ୍ଣପ୍ରସାଦ ଅଞ୍ଚଳର ପର୍ଯ୍ୟଟନ ବିକାଶରେ ଏହା ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି ବୁଦ୍ଧିଜୀବି ମତ ଦେଇଛନ୍ତି ।




















