ଓଡ଼ିଶା ଲିଡ୍ସ(ଯାଜପୁର): ବନ୍ୟା ସମୟରେ ବରୀ ବ୍ଲକ ଅନ୍ତର୍ଗତ ବରୀ ପଞ୍ଚାୟତ ଚିନ୍ତାସାହିର ହୃଷୀକେଶ ମଲ୍ଲିକ(୬୦)ଙ୍କ ଦେହାନ୍ତ ହୋଇଥିଲା । ବନ୍ୟା ସମୟରେ ଏହି ଗ୍ରାମ ଜଳବନ୍ଦୀ ହୋଇ ପଡିବାରୁ ଅସୁସ୍ଥ ହୃଷୀକେଶଙ୍କୁ ପରିବାର ଲୋକେ ଚିକିତ୍ସାକେନ୍ଦ୍ରକୁ ଚିକିତ୍ସପାଇଁ ନେଇ ପାରିନଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଘରେ ପାଣି ପସିଥିବାରୁ ଛାତ ଉପରେ ଆଶ୍ରୟ ନେଇଥିଲା ବେଳେ ବୁଧବାର ଅପରାହ୍ନ ପ୍ରାୟ ୪ଟା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଖବର ପାଇ ବରିଷ୍ଠ ନେତା ସେକ ସଫିକ ଉଦ୍ଦିନ ତାଙ୍କ ଶବ ସଂସ୍କାର ପାଇଁ ଏକ ସ୍ୱର୍ଗରଥ ବ୍ୟବସ୍ଥା କରିବା ପରେ ପରିବାର ଲୋକେ ଶବ ନେଇ ଯାଜପୁର ବାରୁଣୀ ଘାଟରେ ସଂସ୍କାର କରିଥିଲେ । ଏହି ଖବର ଚର୍ଚ୍ଚା ସୃଷ୍ଟି କରିଥିଲା ବେଳେ ଆଜି ଜିଲ୍ଲା ପ୍ରଶାସନ ସହିତ ବ୍ଲକ ପ୍ରଶାସନ ମୃତକଙ୍କ ପରିବାର ନିକଟରେ ପହଞ୍ଚିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ, ତହସିଲଦାର ଦୀପ୍ତିମୟୀ ବେହେରା ଓ ବିଡ଼ିଓ ମିନତୀ ଜଗଦ୍ଦେବ ତାଙ୍କ ପରିବାରକୁ ଭେଟିବା ସହିତ ରେଡକ୍ରସ ପକ୍ଷରୁ ୧୦ ହଜାର ଟଙ୍କା ଓ ଶବ ସଂସ୍କାର ପାଇଁ ୩ ହଜାର ଟଙ୍କା ତାଙ୍କ ପରିବାର ସଦସ୍ୟଙ୍କୁ ପ୍ରଦାନ କରିଥିଲେ ।




















