ଓଡ଼ିଶା ଲିଡ୍ସ(ପୁରୀ): ପୁରୀରେ ହେଉଥିବା ଖଜା ପ୍ରସ୍ତୁତି ଏବଂ ଗୋଦାମ ଗୁଡ଼ିକ ଉପରେ ପ୍ରଶାସନର ପକ୍ଷରୁ ଚଢ଼ାଉ ଆରମ୍ଭ ହୋଇଛି । ପୁରୀ ସହରର ବିଭିନ୍ନ ସ୍ଥାନରେ ଥିବା ଖଜା ଗୋଦାମ ଗୁଡ଼ିକରେ ଏହି ଅତର୍କିତ ଚଢ଼ଉ କରାଯାଇଛି। ସିଟି ଡିଏସପି ରଶ୍ମି ରଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ଏହି ସ୍ୱତନ୍ତ୍ର ଚଢ଼ଉ ଜାରି ରହିଛି।
ଖଜା ପ୍ରସ୍ତୁତିରେ ସ୍ୱଚ୍ଛତା ଏବଂ ଶୁଦ୍ଧତା ପ୍ରତି ଗୁରୁତ୍ୱ ଦେଇ ତିଆରି କରାଯାଉଛି କି ନାହିଁ, ତାହା ଯାଞ୍ଚ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ପୁରୀରେ ଦୈନିକ ଲକ୍ଷଲକ୍ଷ ଟଙ୍କାର ଖଜା ବିକ୍ରି ହୋଇଥାଏ । ଏହି ଚଢ଼ଉ ଫଳରେ ସହରର ବେଆଇନ କାରବାର କରୁଥିବା ଖଜା ବ୍ୟବସାୟୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି। ପ୍ରଶାସନର ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଆଗକୁ ମଧ୍ୟ ଜାରି ରହିବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି।




















